election

ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ: ୮ କେନ୍ଦ୍ରମନ୍ତ୍ରୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ 

ଏଏନଏସ: ୨୧ଟି ରାଜ୍ୟ ଓ କିଛି କେନ୍ଦ୍ରଶାସିତ ଅଂଚଳର ୧୦୨ ସଂସଦୀୟ କ୍ଷେତ୍ର ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି | ଏହି ନିର୍ବାଚନରେ ୮ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ୨ ଜଣ ପୂର୍ବ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବ ରାଜ୍ୟପାଳଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନସାଧାରଣ | ସବୁଠୁ ଚର୍ଚ୍ଚିତ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ନାଗପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି | ୨୦୧୪ ନିର୍ବାଚନରେ ୭ ଥରର ସାଂସଦ ବିଲାସ ମୁତେମବାରଙ୍କୁ ଲକ୍ଷାଧିକ ଭୋଟରେ ପରାସ୍ତ କରିଥିଲେ | କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଅରୁଣାଚଳ ପ୍ରଦେଶର ପଶ୍ଚିମ ଆସନରୁ ନିର୍ବାଚନ ଲଢୁଛନ୍ତି । ୫୨ ବର୍ଷିୟ ଏହି ବିଜେପି ନେତା ଏହି ଆସନରୁ ୨୦୦୪ରୁ ପ୍ରତିନିଧିତ୍ୱ କରୁଥିବା ଜଣାପଡିଛି | ସେହିପରି କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନବାଲ ଆସାମର ଡିବ୍ରୁଗଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । 

ଉତ୍ତର ପ୍ରଦେଶ ମୁଜାଫରନଗର ଲୋକସଭା ଆସନରେ ଏଥର ତ୍ରୀକୋଣୀୟ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଛି । ଏଠାରେ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ସଂଜୀବ ବାଲିୟାନ । ତାଙ୍କ ସହ ପ୍ରତିଦ୍ୱନ୍ଦିତା କରୁଛନ୍ତି ସମାଜବାଦୀ ପାର୍ଟିର ହରେନ୍ଦ୍ର ମଲ୍ଲିକ ଓ ବହୁଜନ ସମାଜବାଦୀ ପାର୍ଟିର ଦାରା ସିହ ପ୍ରଜାପତି ।ସେହିଭଳି କେନ୍ଦ୍ରମନ୍ତ୍ରୀମଣ୍ଡଳରେ ସାମିଲ ଥିବା ତଥା ଦୁଇଥରର ସାଂସଦ ଜିତେନ୍ଦ୍ର ସିଂ ଉଦ୍ଦମପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି | କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଭୂପେନ୍ଦ୍ର ଯାଦବ ରାଜସ୍ଥାନର ଅଲବର ଆସନରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ରାଜସ୍ଥାନର ବିକାନୋର ଆସନରୁ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ପ୍ରତିଦ୍ବନ୍ଦିତା କରୁଥିବା ଜଣାପଡିଛି | 

କେନ୍ଦ୍ରମନ୍ତ୍ରୀ କେ.ଏଲ ମୁରଗାନ ତାମିଲନାଡୁର ନିଲଗିରି ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି | କାର୍ତ୍ତୀ ଚିଦାମ୍ବରମ୍ ଶିବଗଙ୍ଗା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦୀତା କରୁଥିବା ଜଣାପଡିଛି | ବିଜେପିର ତାମିଲନାଡୁ ପ୍ରଦେଶ ଅଧ୍ୟକ୍ଷ କେ.ଆନ୍ନାମଲ୍ଲାଇ କୋଇମ୍ବାଟୁର ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି । 

ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତଥା ପୁଡୁଚେରୀର ପୂର୍ବ ଉପ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ପୁଣିଥରେ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି । ସେ ଚେନ୍ନାଇ ଦକ୍ଷିଣ ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି ।

ତ୍ରିପୁରାର ଦୁଇଟି ଲୋକସଭା ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ତ୍ରିପୁରା ଲୋକସଭା ଆସନରେ ଭୋଟ ହେବ । ଏହି ଆସନରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ପ୍ରାର୍ଥୀ ହୋଇଛନ୍ତି | 

ଅନ୍ୟମାନଙ୍କୁ ଜଣାନ୍ତୁ।