You are currently viewing ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ଗାଡି ବ୍ୟବହାର ଓ ନିର୍ବାଚନୀ ଖର୍ଚ୍ଚ ଘୋଷଣା

ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ଗାଡି ବ୍ୟବହାର ଓ ନିର୍ବାଚନୀ ଖର୍ଚ୍ଚ ଘୋଷଣା

ଭୁବନେଶ୍ୱର(ଏଏନଏସ)୧୫.୦୨.୨୦୨୨, ରାଜ୍ୟ ନିର୍ବାଚନ କମିଶନ ଆସନ୍ତା ପୌର ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଥିବା ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନଙ୍କ ନିମନ୍ତେ ଗାଡିର ବ୍ୟବହାର ଓ ନିର୍ବାଚନୀ ଖର୍ଚ୍ଚ ନେଇ ନିର୍ଦେଶନାମା ଜାରି କରିଛନ୍ତି । ପ୍ରତ୍ୟେକ ୱାର୍ଡର କାଉନସିଲର / କର୍ପୋରେଟର ପଦବୀ ନିମନ୍ତେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ତିନିଚକିଆ ଓ ଚାରିଚକିଆ ଗାଡିକୁ ମିଶାଇ ସର୍ବାଧିକ ଦୁଇଟି ଗାଡି ବ୍ୟବହାର କରିପାରିବେ । ବିଜ୍ଞାପିତ ଅଞ୍ଚଳ ପରିଷଦ/ ମୁନିସିପାଲିଟି ଅଞ୍ଚଳ ମଧ୍ୟରେ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ତିନିଚକିଆ ଓ ଚାରିଚକିଆ ଗାଡି ମିଶାଇ ସର୍ବାଧିକ ଚାରୋଟି ଗାଡି ବ୍ୟବହାର କରିପାରିବେ ବୋଲି ନିର୍ବାଚନ କମିଶନ ନିର୍ଦେଶନାମା ଜାରି କରିଛନ୍ତି ।
ସେହିପରି ମହାନଗର ନିଗମ ଅଞ୍ଚଳ ମଧ୍ୟରେ ମେୟର ପଦବୀ ଲାଗି ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୬ଟି (ତିନିଚକିଆ ଓ ଚାରି ଚକିଆ ) ଯାନ ବ୍ୟବହାର କରିପାରିବେ ବୋଲି ନିର୍ବାଚନ କମିଶନ ନିର୍ଦେଶ ଦେଇଛନ୍ତି । ସଂପୃକ୍ତ ରାଜନୈତିକ ଦଳମାନେ ପ୍ରତ୍ୟେକ ମହାନଗର ନିଗମ ଓ ମୁନିସିପାଲିଟି ଅଞ୍ଚଳ ପାଇଁ ନିର୍ବାଚନ କାର୍ଯ୍ୟରେ ଦୁଇଟି ଚାରିଚକିଆ ଗାଡି ବ୍ୟବହାର କରିପାରିବେ । ପ୍ରାର୍ଥୀମାନେ କେଉଁ ପ୍ରକାରର ଗାଡି, ଗାଡିର ପଞ୍ଜୀକରଣ ନମ୍ବର ଓ ଗାଡିର ମାଲିକ ସଂପର୍କରେ ନିର୍ବାଚନ କାର୍ଯ୍ୟରେ ବ୍ୟବହାର ପୂର୍ବରୁ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇବେ ।
ପୌର ନିର୍ବାଚନରେ ପ୍ରାର୍ଥୀମାନେ ଓଡିଶା ମୁନିସିପାଲିଟି ଅଧିନିୟମ ୧୯୫୦ ଧାରା ୧୭(କ)ର ଉପଧାରା (ସ) ଅନୁସାରେ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ବିଜ୍ଞାପିତ ଅଞ୍ଚଳ ପରିଷଦ/ ମୁନିସିପାଲିଟି ଅଞ୍ଚଳ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା କାଉନସିଲର/ କର୍ପୋରେଟ ପ୍ରାର୍ଥୀମାନେ ସର୍ବାଧିକ ୫୦ ହଜାର ଟଙ୍କା ଓ ଅଧ୍ୟକ୍ଷ ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ୫୦ ହଜାରରୁ ଏକ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ମୁନିସିପାଲିଟି ଅଞ୍ଚଳରେ କାଉନସିଲର / କର୍ପୋରେଟର ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୭୫ ହଜାର ଟଙ୍କା ଓ ଅଧ୍ୟକ୍ଷ/ମେୟର ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୩ ଲକ୍ଷ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିପାରିବେ । ସେହିପରି ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ମୁନିସିପାଲିଟି ଅଞ୍ଚଳରେ କାଉନସିଲର / କର୍ପୋରେଟର ପଦବୀ ନିମନ୍ତେ ପ୍ରାର୍ଥୀମାନେ ସର୍ବାଧିକ ୧ଲକ୍ଷ ଓ ଅଧ୍ୟକ୍ଷ/ମେୟର ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାଥୀମାନେ ସର୍ବାଧିକ ୫ ଲକ୍ଷ ନିର୍ବାଚନରେ ଖର୍ଚ୍ଚ କରିପାରିବେ । ସେହିପରି ମହାନଗର ନିଗମ କର୍ପୋରେଟର ପଦବୀ ନିମନ୍ତେ ପ୍ରାର୍ଥୀମାନେ ସର୍ବାଧିକ ୨ଲକ୍ଷ ଓ ମେୟର ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୧୨ ଲକ୍ଷ ଟଙ୍କା ନିର୍ବାଚନୀ ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ କମିଶନ ନିର୍ଦେଶ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।