You are currently viewing କାଠଗଡାରେ ଇନ୍ଦ୍ର ଦେବ

କାଠଗଡାରେ ଇନ୍ଦ୍ର ଦେବ

  • Post category:ଓଡିଶା
  • Reading time:1 mins read

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଗୋଣ୍ଡାରେ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାକାର ଜଣେ ଯୁବକ ବର୍ଷା ନ ହେବାରୁ ଇନ୍ଦ୍ର ଦେବଙ୍କ ନାଁରେ ଅଭିଯୋଗ କରିଛନ୍ତି। ସାଧାରଣତଃ ଏହି ସମୟରେ ଦେଶର ବିଭିନ୍ନ ସ୍ଥାନରେ ଧାନ ରୁଆ ଯାଏ। ଏଣୁ ବର୍ଷାର ଆବଶ୍ୟକତା ରହିଛି। କିନ୍ତୁ କିଛି ଅଞ୍ଚଳରେ ଏବେ ବି ସ୍ୱାଭାବିକ ବର୍ଷା ହୋଇନାହିଁ। ଫଳ ସ୍ୱରୂପ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଗୋଣ୍ଡା ଅଞ୍ଚଳର ମଧ୍ୟ ସ୍ଥିତି ସମାନ ରହିଛି। ଏଣୁ ଏଥିପାଇଁ ଇନ୍ଦ୍ର ଦେବତାଙ୍କୁ ଦାୟୀ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜଣେ ବ୍ୟକ୍ତି ଦାବି କରିଛନ୍ତି।

ଇନ୍ଦ୍ର ଦେବଙ୍କ ବିରୋଧରେ ହୋଇଥିବା ଏହି ଅଭିଯୋଗ ପତ୍ରର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଗତ ଶନିବାର ଦିନ ଗୋଣ୍ଡା ଜିଲ୍ଲାରେ ସମ୍ପୂର୍ଣ୍ଣ ସମାଧାନ ଦିବସ ଆୟୋଜିତ ହୋଇଥିଲା। ଏହି ବୈଠକରେ ତହସିଲସ୍ତରୀୟ ଅଧିକାରୀଙ୍କ ସହ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏ ଅବସରରେ ଗାଁର ସୁମିତ କୁମାର ଯାଦବ ନାମକ ଜଣେ ବ୍ୟକ୍ତି ଇନ୍ଦ୍ର ଦେବଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିଲେ।

ସୁମିତ ଯାଦବଙ୍କ ଅଭିଯୋଗ ମୁତାବକ, ଗତ କିଛି ମାସ ହେଲାଣି ସ୍ଥାନୀୟ ଅଞ୍ଚଳରେ ବର୍ଷା ହୋଇ ନାହିଁ। ଫଳରେ ମଣିଷ ସମେତ ଜୀବଜନ୍ତୁ, କ୍ଷେତ ସମସ୍ତେ ତ୍ରାହି ତ୍ରାହି ଡାକିଲେଣି। ଘରେ ରହୁଥିବା ସ୍ତ୍ରୀ ଓ ପିଲାମାନେ ମଧ୍ୟ ଗରମ ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ଇନ୍ଦ୍ର ଦେବ ବର୍ଷା ନ କରାଇବାରୁ ଏଭଳି ସ୍ଥିତି ଉପୁଜିଛି। ଏଣୁ ସରକାରୀ ଅଧିକାରୀ ଇନ୍ଦ୍ରଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁମିତ ଦାବି କରିଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ସରକାରୀ ଅଧିକାରୀ ମଧ୍ୟ ତାଙ୍କ ଅଭିଯୋଗକୁ ଗ୍ରହଣ କରି ଉପରିସ୍ଥ ଅଫିସରଙ୍କ ନିକଟକୁ ପଠାଇଛନ୍ତି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।