You are currently viewing ପୁରୀ ଜିଲ୍ଲାର ଚାଷୀଙ୍କ ପାଇଁ ‘କାଳିଆ’ ସହାୟତା

ପୁରୀ ଜିଲ୍ଲାର ଚାଷୀଙ୍କ ପାଇଁ ‘କାଳିଆ’ ସହାୟତା

ପୁରୀ(ଏଏନଏସ)୦୩/୧୧: ପୁରୀ ଜିଲ୍ଲା ଚାଷୀମାନଙ୍କ ପାଇଁ କାଳିଆ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଜିଲ୍ଲାର ୧,୬୫,୧୩୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୩୩.୦୩କୋଟି ଟଙ୍କା ଦେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ୨ ହଜାର ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ । ସେପ୍ଟେମ୍ବରରେ ପୁରୀକୁ ଛାଡ଼ି ସାରା ରାଜ୍ୟର ଚାଷୀଙ୍କୁ କାଳିଆ ଟଙ୍କା ମିଳିଥିଲା । ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲାର ଚାଷୀଙ୍କୁ ସହାୟତା ମିଳିନଥିଲା । ସୂଚନାନୁସାରେ,  ସେପ୍ଟେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ୩୭,୧୨,୯୪୧ ଜଣ ଚାଷୀଙ୍କୁ ୭୪୨.୫୮ କୋଟି ଟଙ୍କାର  କାଳିଆ ସହାୟତା ବଣ୍ଟନ କରିଥିଲେ । ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇପାରି ନ ଥିଲା । ରାଜ୍ୟର କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ପରିବାରମାନଙ୍କୁ କୃଷି କାର୍ଯ୍ୟରେ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସାରା ଦେଶରେ ଚାଷୀମାନଙ୍କ କଲ୍ୟାଣ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏଥିରେ ଚାଷୀମାନେ ବିଭିନ୍ନ କୃଷିସାମଗ୍ରୀ ଯଥା- ବିହନ, ସାର ତଥା କୀଟନାଶକ ଓ କୃଷି ଯନ୍ତ୍ରପାତି କିଣିବା ପାଇଁ ଆନୁସଙ୍ଗିକ ଆର୍ଥିକ ସୁବିଧା ପାଇପାରୁଛନ୍ତି। ସେହିପରି ଭୂମିହୀନ କୃଷି ପରିବାରମାନେ ମଧ୍ୟ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ଆନୁସଙ୍ଗିକ କୃଷି କାର୍ଯ୍ୟ  କରିପାରୁଛନ୍ତି । ଚାଷୀମାନଙ୍କ ଋଣ ଭାର କମ୍ କରିବାରେ ମଧ୍ୟ ଏହା ବିଶେଷ ସହାୟକ ସାବ୍ୟସ୍ତ ହୋଇ ପାରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।