sarapancha

ପ୍ରଶାସନର ମନମୁଖୀ କାର୍ଯ୍ୟ ଅଭିଯୋଗରେ ଇସ୍ତଫା ଦେବେ ୧୯ ସରପଞ୍ଚ

  • Post category:ଓଡିଶା
  • Reading time:1 mins read

ଏଏନଏସ: କେନ୍ଦୁଝର ଜିଲ୍ଲା ତେଲକୋଇରେ ବ୍ଲକ ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ଭିତରେ ଚାଲିଥିବା ତୁତୁ-ମେମେ ଚରମ ସୀମାରେ ପହଞ୍ଚିଛି। ଏହି ବ୍ଲକର ୨୨ରୁ ୧୯ ଜଣ ସରପଞ୍ଚ ସାମୁହିକ ଇସ୍ତଫା ଦେବା ପାଇଁ ପ୍ରଥମେ ବ୍ଲକ, ପରେ ଜିଲ୍ଲାପାଳ ଅଫିସ ଘୂରି ବୁଲିଥିଲେ ବି ଏଥିରେ ସଫଳ ହୋଇପାରି ନାହାନ୍ତି। ପ୍ରଶାସନ ଏହି ନିର୍ବାଚିତ ଜନପ୍ରତିନିଧିଙ୍କୁ ନପଚାରି ସବୁ କାର୍ଯ୍ୟ କରୁଥିବାରୁ ଲୋକମାନଙ୍କ ପାଖରେ ସେମାନେ ନିନ୍ଦିତ ହେଉଥିବା ଅଭିଯୋଗ କରିଛନ୍ତି ।  ସରପଞ୍ଚଙ୍କ  ଏହି ସାମୂହିକ ନିଷ୍ପତ୍ତି ଏବେ ଜିଲ୍ଲା ବିଜେଡି ପାଇଁ ମୁଣ୍ଡବିନ୍ଧାରର କାରଣ ହୋଇଛି।

ତୃଣମୂଳସ୍ତରରେ ଲୋକଙ୍କ ସମସ୍ୟା ସମାଧାନ ଲାଗି ଯେଉଁ ଗଣତାନ୍ତ୍ରିକ ବ୍ୟବସ୍ଥା ରହିଛି ସେଥିରେ ସରପଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କିନ୍ତୁ ସେମାନଙ୍କ ସମସ୍ତ କ୍ଷମତା ବିଡିଓ ହଡ଼ପ କରି ନେଉଥିବା ସେମାନେ ଅଭିଯୋଗ କରିଛନ୍ତି। କୌଣସି ବିକାଶମୂଳକ କାର୍ଯ୍ୟରେ ସେମାନଙ୍କୁ ସାମିଲ୍‍ କରାଯାଉ ନାହିଁ କି ତାଙ୍କ ମନ୍ତବ୍ୟ ନିଆଯାଉନାହିଁ। 

ପ୍ରଥମେ ଏହି ସରପଞ୍ଚମାନେ ଏକ ଇସ୍ତଫା ପତ୍ରରେ ସ୍ୱାକ୍ଷର କରି ବିଡ଼ିଓଙ୍କୁ ଦେବା ଲାଗି ଯାଇଥିଲେ। କିନ୍ତୁ ବିଡିଓ ସେଠାରେ ଉପସ୍ଥିତ ନଥିବାରୁ ସେମାନେ ଉପ ଜିଲ୍ଲାପାଳଙ୍କୁ ଇସ୍ତଫାପତ୍ର ଦେବାକୁ ଯାଇଥିଲେ। ସେଠାରେ ଉପ ଜିଲ୍ଲାପାଳ ବି ନଥିଲେ। ଅପେକ୍ଷା କରିଥିବା ସମୟରେ ବିଜେଡିର ଜିଲ୍ଲା ନେତୃତ୍ୱ ଏ ବିଷୟରେ ଜାଣି ଦଳ ବିରୁଦ୍ଧରେ ଜନମତ ଯିବ ବୋଲି ଆଶଙ୍କା କରିଥିଲେ। ଏହି କ୍ଷତିରୁ ଦଳକୁ ବଞ୍ଚାଇବା ଲାଗି ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର ଓ ସମର୍ଥକ ତାଙ୍କ ନିକଟକୁ ଆସି ତାଙ୍କୁ ବୁଝାଇବାକୁ ଚାହିଁଥିଲେ। କିନ୍ତୁ କିଛି ସୁଫଳ ମିଳି ନଥିଲା। ଉପ ଜିଲ୍ଲାପାଳଙ୍କୁ ଅପେକ୍ଷା କରି  ନ ଆସିବାରୁ ସରପଞ୍ଚମାନେ ଫେରି ଆସିଥିଲେ। ଏନେଇ ଆଜି ଏ ସମ୍ପର୍କରେ ପୁଣିଥରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ କୁହାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।