You are currently viewing ପ୍ରତୀକ୍ଷାର ଅନ୍ତ;ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ପ୍ରତୀକ୍ଷାର ଅନ୍ତ;ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୧୦/୦୪, ବହୁ ଦିନର ପ୍ରତୀକ୍ଷାର ହେଲା ଅନ୍ତ । ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୧୧ ତାରିଖ ସୋମବାର ଅପରାହ୍ନ ସମୟରେ କଲେଜ ପରିସରରେ ପ୍ରସ୍ତୁତ ହୋଇଥିବା ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଅବତରଣ କରିବେ । ପରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ମେଡିକାଲ ଲୋକାପର୍ଣ ତଥା ଶୁଭ ଉଦଘାଟନ କରିବେ । ଏଥିପାଇଁ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ନେଇ କଲେଜ କର୍ତ୍ତୃପକ୍ଷ ବେଶ୍ ଉତ୍ସାହିତ ଅଛନ୍ତି ।

ଶହେ ସିଟ୍ ବିଶିଷ୍ଟ ଏହି କଲେଜ ଛାତ୍ରଛାତ୍ରୀଙ୍କ ଆଡମିସନ ଶେଷ ହୋଇଛି । ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ, ଖେଳପଡିଆ, କ୍ୟାଣ୍ଟିନ୍, ଲ୍ୟାବ୍, କ୍ଲାସ ରୁମ୍ ସହ ପ୍ରଶାସନିକ ଭବନ ମଧ୍ୟ ପ୍ରସ୍ତୁତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ପ୍ରମୁଖ ପ୍ରୋଜେକ୍ଟ ହୋଇଥିବାବେଳେ ଏହି ନିର୍ମାଣ କାର୍ଯ୍ୟ ପାଇଁ ୫ ଶହ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ଏବେ ପ୍ରାଥମିକ ପର୍ଯ୍ୟାୟରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତ୍ରଛାତ୍ରୀ ଶିକ୍ଷା ନେବାର ବ୍ୟବସ୍ଥା କରାଯାଇଛି ।

ଆସନ୍ତା ଦୁଇବର୍ଷ ମଧ୍ୟରେ ମେଡିକାଲ କଲେଜ ପରିସରରେ ନିଜସ୍ଵ ମେଡିକାଲ ନିର୍ମାଣ ପରେ ଆହୁରି ଅଧିକ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିପାରିବ ବୋଲି ଆଶା ରଖିଛନ୍ତି ଛାତ୍ରଛାତ୍ରୀ । ତେବେ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ପ୍ରଥମ ବ୍ୟାଚ୍ ଆଡମିସନ ନେଇଥିବା ଛାତ୍ରଛାତ୍ରୀ ବେଶ ଖୁସି ଓ ଉତ୍ସାହିତ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରୟାସକୁ ସ୍ବାଗତ କରିଛନ୍ତି ।

ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ଯେଉଁସବୁ ସ୍ବପ୍ନ ରହିଥିଲା, ତାହା ଏବେ ଧିରେ ଧିରେ ପୂରଣ ହେବାରେ ଲାଗିଛି । ପୁରୀ ଭଳି ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ଏଭଳି ଏକ ସୁନ୍ଦର ମେଡିକାଲ କଲେଜ ସ୍ଥାପନ ହୋଇଥିବାରୁ ଏଠାରେ ଚିକିତ୍ସା ସୁବିଧା ଉଭୟ ପର୍ଯ୍ୟଟକ ଓ ପୁରୀ ଜିଲ୍ଲାବାସୀ ପାଇପାରିବେ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।