You are currently viewing ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା; ସ୍ନେହ ଓ ଭଲପାଇବାର ବନ୍ଧନ

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା; ସ୍ନେହ ଓ ଭଲପାଇବାର ବନ୍ଧନ

ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ଭାଇ-ଭଉଣୀର ପର୍ବ ରକ୍ଷା ବନ୍ଧନ । ଏହି ପର୍ବ ଭାଇ-ଭଉଣୀର ସ୍ନେହ ଏବଂ ଭଲପାଇବାର ପର୍ବ ରୂପେ ପାଳନ କରାଯାଇଥାଏ । ଆଜିର ଦିନରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ଏହା ବଦଳରେ ଭାଇ ତା’ ଭଉଣୀକୁ ଉପହାର ଦେବା ସହ ସବୁବେଳେ ସବୁ ପରିସ୍ଥିତିରେ ଭଉଣୀର ରକ୍ଷା କରିବ ବୋଲି କଥା ଦେଇଥାଏ । ଉଲ୍ଲେଖ ରହିଛି ଭଲ ସମୟ ଅର୍ଥାତ ଭାଦ୍ରବ ମାସରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିବା ଦ୍ୱାରା ଭାଇର କାର୍ଯ୍ୟ ସଫଳ ହେବା ସହ ବିଜୟ ପ୍ରାପ୍ତ କରିଥାଏ । କିନ୍ତୁ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଅନେକ ପୌରାଣିକ କଥା ରହିଛି, ଯେଉଁଥିରୁ ପ୍ରାଚୀନ କାଳରୁ ହିଁ ଏହି ପର୍ବ ପାଳନ ହୋଇଆସୁଛି । ତେବେ ଆସନ୍ତୁ ଜାଣିବା ରାକ୍ଷୀ ପୂର୍ଣ୍ଣିମା ପଛରେ କ’ଣ ରହିଛି ପୌରାଣିକ ମହତ୍ତ୍ୱ ।


ଶାସ୍ତ୍ର ଅନୁଯାୟୀ ଅସୁର ରାଜା ବଳି ନିଜର ବଳି ଏବଂ ପରାକ୍ରମ ଦ୍ୱାରା ତିନି ଲୋକରେ ନିଜ ଅଧିକାର ବିସ୍ତାର କରିଥିଲେ । ରାଜା ବଳିଙ୍କର ଏହିପରାକ୍ରମକୁ ଦେଖି ସ୍ୱର୍ଗର ରାଜା ଇନ୍ଦ୍ରଦେବ ମଧ୍ୟ ଡରି ଯାଇ ସାହାଯ୍ୟ ପାଇଁ ଭଗବାନ ବିଷ୍ଣୁଙ୍କ ନିକଟରେ ପହଞ୍ଚିଥିଲେ । ପରେ ଇନ୍ଦ୍ରଙ୍କ ପ୍ରାର୍ଥନା ଶୁଣି ଭଗବାନ ବିଷ୍ଣୁ ବାମନ ଅବତାର ଧାରଣ କରି ରାଜା ବଳିଙ୍କଠାରୁ ଭିକ୍ଷା ମାଗିବା ପାଇଁ ପହଞ୍ଚିଥିଲେ । ଏହାପରେ ଭଗବାନ ବାମନ ଦାନବୀର ବଳିଙ୍କ ଠାରୁ ତିନି ପାଦ ଭୂମି ମାଗିଥିଲେ । ପ୍ରଥମ ଏବଂ ଦ୍ୱିତୀୟ ପାଦରେ ଭଗବାନ ଧରିତ୍ରୀ ଏବଂ ଆକାଶକୁ ବଢାଇଥିଲେ । ଏହା ଦେଖି ରାଜା ଭଳି ଆଶ୍ଚର୍ଯ୍ୟ ହୋଇ ଭଗବାନଙ୍କ ତୃତୀୟ ପାଦ ନିଜ ମୁଣ୍ଡ ଉପରେ ରଖିବା ପାଇଁ କହିଥିଲେ । ଏହାପରେ ଦେବତାଗଣଙ୍କ ସମସ୍ୟା ସମାପ୍ତ ହେବା ସହ ଭଗବାନ ବିଷ୍ଣୁ ରାଜା ବଳିଙ୍କ ଏହି ଦାନରେ ପ୍ରସନ୍ନ ହୋଇଥିଲେ । ଏହାପରେ ଭଗବାନ ରାଜା ବଳିଙ୍କୁ ବର ମାଗିବା ପାଇଁ କହିଥିଲେ । ଏହା ଶୁଣି ରାଜା ବଳି ଭଗବାନଙ୍କୁ ପାତାଳକୁ ଯିବାର ବର ମାଗିଥିଲେ । ରାଜାଙ୍କର ଏହି ଇଛା ପୁରଣ କରିବା ପାଇଁ ଭଗବାନ ବିଷ୍ଣୁଙ୍କୁ ପାତାଳପୁରକୁ ଯିବାକୁ ପଡିଥିଲା । ଏହା ଦେଖି ସମସ୍ତ ଦେବତାଗଣ ଏବଂ ମାତା ଲକ୍ଷ୍ମୀ ଚିନ୍ତିତ ହୋଇପଡିଥିଲେ । ପରେ ନିଜ ପତିଙ୍କୁ ରକ୍ଷା କରିବା ପାଇଁ ମାତା ଲକ୍ଷ୍ମୀ ଗରିବ ମହିଳା ରୂପ ଧାରଣ କରି ରାଜା ବଳିଙ୍କ ନିକଟରେ ପହଞ୍ଚି ତାଙ୍କୁ ନିଜର ଭାଇ ବୋଲି ସମ୍ଭୋଧନ କରି ରାକ୍ଷୀ ବାନ୍ଧିଥିଲେ । ଏହା ବଦଳରେ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ ପାତାଳ ଲୋକରୁ ନେଇଯିବାର ବଚନ ମାଗିଥିଲେ । ସେହି ଦିନ ଶ୍ରାବଣ ମାସର ପୂର୍ଣ୍ଣିମା ଥିଲା । ଉଲ୍ଲେଖ ରହିଛି ସେବେଠାରୁ ହିଁ ଏହି ରକ୍ଷା ବନ୍ଧନ ପର୍ବ ପାଳନ ହୋଇଆସୁଛି ।


ଭବିଷ୍ୟ ପୁରାଣ ଅନୁଯାୟୀ ଥରେ ଦେବତା ଏବଂ ଦାନବଙ୍କ ମଧ୍ୟରେ ୧୨ ବର୍ଷ ପର୍ଯ୍ୟନ୍ତ ଯୁଦ୍ଧ ହୋଇଥିଲା । କିନ୍ତୁ ଏହି ଯୁଦ୍ଧରେ କେବଳ ଦାନବମାନେହିଁ ବିଜୟ ଲାଭ କରୁଥିଲେ । ପରେ ଭଗବାନ ଇନ୍ଦ୍ର ଯୁଦ୍ଧରେ ହାରିଯିବାର ଡରରେ ଦେବଗୁରୁ ବୃହସ୍ପତିଙ୍କ ନିକଟରେ ପହଞ୍ଚିଥିଲେ । ଏହାପରେ ବୃହସ୍ପତିଙ୍କ କହିବାନୁଯାୟୀ ମହାରାଣୀ ସଚ୍ଚୀ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ବିଧି-ବିଧାନର ସହ ଉପବାସ କରି ରକ୍ଷା ସୂତ୍ର ପ୍ରସ୍ତୁତ କରି ଇନ୍ଦ୍ରଙ୍କ ଡାହଣ ହାତରେ ବାନ୍ଧି ଦେଇଥିଲେ । ଏହାପରେ ସମସ୍ତ ଦେବତାଗଣ ଯୁଦ୍ଧରେ ବିଜୟ ଲାଭ କରିଥିଲେ । ଫଳରେ ସେହିଦିନ ଦେବତାଙ୍କ ବିଜୟଲାଭ ହେତୁ ସେବେଠାରୁ ହିଁ ରାକ୍ଷୀ ପୂର୍ଣ୍ଣିମାର ପର୍ବ ପାଳନ ହୋଇଆସୁଛି ।
ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଶାସ୍ତ୍ରରେ ଭଗବାନ କୃଷ୍ଣ ଏବଂ ଦୈପଦୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । ଉଲ୍ଲେଖ ରହିଛି ଯେତେବେଳେ ଭଗବାନ କୃଷ୍ଣ ସୁଦର୍ଶନ ଚକ୍ର ଦ୍ୱାରା ଶିଶୁପାଳଙ୍କ ବଧ କରିଥିଲେ ସେହି ସମୟରେ ଭଗବାନ କୃଷ୍ଣଙ୍କ ଆଙ୍ଗୁଳିରେ ଆଘାତ ଲାଗିଥିଲା । ଏହା ଦେଖି ଦୈପଦୀ ନିଜ ଶାଢୀ ଚିରି କୃଷ୍ଣଙ୍କ ଆଙ୍ଗୁଳିରେ ବାନ୍ଧି ଦେଇଥିଲେ । ସେ ଦିନ ଶ୍ରାବଣ ମାସର ପୂର୍ଣ୍ଣିମା ଥିଲା । ଏହାର ପ୍ରତିବଦଳରେ ଭଗବାନ ଶ୍ରୀକୃଷ୍ଣ ଦୈପଦୀଙ୍କ ବସ୍ତ୍ର ହରଣ ସମୟରେ ତାଙ୍କୁ ଲଜ୍ୟାରୁ ବାରଣ କରି ଭାଇର କର୍ତ୍ତବ୍ୟ ତୁଲାଇ ଥିଲେ । ଦେବତାଙ୍କଏହି ସମ୍ପର୍କରୁ ହିଁ ସୃଷ୍ଟି ହୋଇଛି ରକ୍ଷା ବନ୍ଧନର ପର୍ବ ।

ଅନ୍ୟମାନଙ୍କୁ ଜଣାନ୍ତୁ।