You are currently viewing ନୟାଗଡ ଜିଲ୍ଲା ପରିଷଦ ସଭାପତି ଦୌଡରେ ବରିଷ୍ଠ ନେତା ରାମେଶ୍ୱର

ନୟାଗଡ ଜିଲ୍ଲା ପରିଷଦ ସଭାପତି ଦୌଡରେ ବରିଷ୍ଠ ନେତା ରାମେଶ୍ୱର

ନୟାଗଡ-୧୧/୦୩, ନୟାଗଡ ଜିଲ୍ଲାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇବା ପାଇଁ ଶାସକ ବିଜୁ ଜନତା ଦଳ ପ୍ରାଣମୂୂର୍ଚ୍ଛା ଉଦ୍ୟମ କରୁଥିବାବେଳେ ଜିଲ୍ଲାପରିଷଦ ସଭାପତି କିଏ ହେବ ଏହାକୁ ନେଇ ବିଜୁ ଜନତା ଦଳରେ ଛକାପଞ୍ଝା ଲାଗି ରହିଛି । ଏଠାରେ ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲାରେ ଜିଲ୍ଲା ପରିଷଦ ଜୋନ ଭୋଟ ଫଳାଫଳ ଶାସକ ଦଳ ସପକ୍ଷରେ ଏକତରଫା ହୋଇଥିବାବେଳେ ଏବେ ଜିଲ୍ଲା ପରିଷଦ ସଭାପତିକୁ ନେଇ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇଛି । ଦୀର୍ଘଦିନ ପରେ ନୟାଗଡ ଜିଲ୍ଲା ପରିଷଦ ସଭାପତି ପଦବୀ ଅଣସଂରକ୍ଷିତ ପୁରୁଷଙ୍କ ପାଇଁ ଥିବାବେଳେ ଆଶାୟୀ ତାଲିକାରେ ଅନେକ ଜିଲ୍ଲା ପରିଷଦ ସଭ୍ୟ ଅଛନ୍ତି । ଏହି ଦୌଡ ତାଲିକାର ସର୍ବାଗ୍ରେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ୬ ଥର ଜିଲ୍ଲା ପରିଷଦ ସଭ୍ୟ ହୋଇଥିବା ରାମେଶ୍ୱର ଶତପଥୀ ରହିଛନ୍ତି । କିନ୍ତୁ ଦଳର କିଛି ଟାଣୁଆନେତା ନିଜ ସ୍ୱାର୍ଥ ପାଇଁ ରାମେଶ୍ୱରଙ୍କୁ ସଭାପତି ଚୌକିରେ ବସାଇଦେବାକୁ ଚାହୁଁନାହାନ୍ତି । ଅତୀତରେ ଗୋଷ୍ଠୀ କନ୍ଦଳକୁ ନେଇ ରାମେଶ୍ୱରଙ୍କୁ ଜିଲ୍ଲା ପରିଷଦର ଉପସଭାପତି କରାଇ ଦିଆଯାଇନଥିଲା । ଜିଲ୍ଲାର ନେତା ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ରାମେଶ୍ୱର ସପକ୍ଷରେ ନଥିବା ବିଜୁ ଜନତା ଦଳର କର୍ମୀ ମହଲରେ ଆଲୋଚନା ହେଉଛି । ଅନ୍ୟପଟେ କିଛି ନ୍ୟସ୍ତ ସ୍ୱାର୍ଥ ଶାସକ ଦଳର କର୍ମୀ ଓ ନେତା ଜିଲ୍ଲା ମନ୍ତ୍ରୀଙ୍କର ହାତ ବାରିସି ହୋଇ ମନ୍ତ୍ରୀଙ୍କର ଜଣେ ସମ୍ପର୍କୀୟ କିମ୍ବା ରଣପୁର ବିଧାନସଭା କ୍ଷେତ୍ରରୁ ନୟାଗଡ ଜିଲ୍ଲା ପରିଷଦକୁ ନିର୍ବାଚିତ ହୋଇଥିବା ଜନୈକ ସଭ୍ୟଙ୍କ ସପକ୍ଷରେ ଲବି ଆରମ୍ଭ କରିଛନ୍ତି । ରାମେଶ୍ୱର ଶତପଥୀ ନବେ ମସିହାଠାରୁ ଜନତା ଦଳ କର୍ମୀ ହିସାବରେ ସକ୍ରିୟ ଥିଲେ ହେଁ ତାଙ୍କୁ ଜିଲ୍ଲାର ଉଚ୍ଚ ପଦବୀରେ ବସାଇ ନଦେବା ପାଇଁ ଜିଲ୍ଲା ଦଳ ପକ୍ଷରୁ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି । ବିଗତ ଦିନରେ ରାମେଶ୍ୱର ଶତପଥୀଙ୍କୁ ଦଳ ଟିକେଟ ନଦେଇ ଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ସଭ୍ୟ ହେବାର ସୌଭାଗ୍ୟ ହାସଲ କରିଥିଲେ । ଏଠାରେ କୁହାଯାଇପାରେ ଯେ, ୧୯୯୭ ମସିହାରେ କଂଗ୍ରେସ ଦଳ ନିଜର ଜିଲ୍ଲା ପରିଷଦ ସଭାପତି ପ୍ରାଥୀଙ୍କୁ ହରାଇ ଜନତା ଦଳରୁ ଆମଦାନୀ ହୋଇତବା ସ୍ୱର୍ଗତ ରୁନ୍ଦ୍ର ମାଧବ ରାୟଙ୍କୁ ଜିତାଇଥିଲା । ଯାହାର ପରିଣାମ ଜିଲ୍ଲାରେ କଂଗ୍ରେସ ଦଳ ଏଯାବତ ଭୋଗୁୂଛି । ଯଦିଓ ବର୍ତ୍ତମାନ ନୟାଗଡ ଜିଳ୍ଲାରେ ସେଭଳି ପରିସ୍ଥିତି ନାହିଁ ଏବଂ ବିଜୁ ଜନତା ଦଳ ଏକପାଖିଆ ବିଜୟ ଲାଭ କରିଛି । ଆସନ୍ତା ୧୪ ତାରିଖରେ ଜିଲ୍ଲା ପରିଷଦ ସଭାପତି ପଦବୀ କାହା ନିକଟକୁ ଯିବ ତାକୁ ନେଇ ନୟାଗଡ ଜିଲ୍ଲାରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିବାବେଳେ ରାମେଶ୍ୱର ଯଦି ସଭାପତି ନହୁଅନ୍ତି ତେବେ ଦଳ ତାଙ୍କ ପ୍ରତି ଅନ୍ୟାୟ କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।