You are currently viewing ମରାମତି ନାଁରେ ହରିଲୁଟ୍ ,ମାସେ ଗଲାନି ରାସ୍ତା

ମରାମତି ନାଁରେ ହରିଲୁଟ୍ ,ମାସେ ଗଲାନି ରାସ୍ତା

  • Post category:ଓଡିଶା
  • Reading time:1 mins read

ସୁନାବେଡା(ଏଏନଏସ)୧୧/୦୪, ସରକାରଙ୍କ ଟଙ୍କାରେ ଯନ୍ତ୍ରୀ ଠିକଦାର୍ ମାଲାମାଲ୍। ଏପରି ଅଭିଯୋଗ ଆଣିଛନ୍ତି ଗାଁ ଲୋକେ।ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ କୋରାପୁଟ ଜିଲ୍ଲା ଡୁମୁରି ପୁଟ ନିକଟ ଜାତୀୟ ରାଜପଥ ୨୬ ନଂ ଠାରୁ ଗୋପାଳପୁଟ୍ ଗ୍ରାମ ପର୍ଯ୍ୟନ୍ତ ପାଞ୍ଚ ଶହ ମିଟର ପିଚୁ,୧୯୦ମିଟର କଂକ୍ରିଟ୍ ରାସ୍ତା ସହ ୩୧୦ ମିଟର ର ଦୁଇଟି କଲଭର୍ଟ କୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଗତ କିଛି ବର୍ଷ ତଳେ ନିର୍ମାଣ କରାଯାଇଥିଲା। ତେବେ ଏହାର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ପ୍ରତିବର୍ଷ ବହୁ ଅର୍ଥ ଖର୍ଚ୍ଚ ସରିଥିବା ସେଠାରେ ଲାଗିଥିବା ଫଳକ କହେ। କିନ୍ତୁ ବାସ୍ତବ ଚିତ୍ର କିନ୍ତୁ ପୁରା ଓଲଟା। କିଛି ବର୍ଷ ଆଗରୁ ନିର୍ମାଣ ହୋଇଥିବା କଂକ୍ରିଟ୍ ରାସ୍ତା ଭଲଥିବା ସତ୍ତ୍ବେ ଗ୍ରାମ୍ଯ ଉନ୍ନୟନ ବିଭାଗ ଓ ଠିକାଦାରଙ୍କ ପକେଟ୍ ଗରମ ପାଇଁ ବାଲି ଛିଞ୍ଚିଲା ଭଳି ପିଚୁ କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ସେମାନଙ୍କ କହିବା ଅନୁଯାୟୀ କଂକ୍ରିଟ୍ ରାସ୍ତାଟି ଭଲ ଥିଲା।

କିନ୍ତୁ ସଂମ୍ପୃକ୍ତ ବିଭାଗ ଏହାକୁ ପିଚୁ କରିବାକୁ ମସୁଧା ଚଳାଇଥିଲା । ଯାହାକୁ ଗ୍ରାମବାସୀଙ୍କ ବିରୋଧ ପରେ ମଧ୍ୟ ପିଚୁ କରାଯାଇଥିଲା। ମାର୍ଚ୍ଚ ମାସ ୧୮ ତାରିଖରେ ହୋଇଥିବା ପିଚୁ ରାସ୍ତାକୁ ହାତରେ ଆଡେଇ ଦେଲେ ରାସ୍ତାରୁ ପିଚୁ ଉଠି ଯାଉଛି । ଏଠାରେ ଉଲ୍ଲେଖ କରାଯାଇପାରେ ଗ୍ରାମବାସୀଙ୍କ ବିରୋଧ ଯୋଗୁ ଦିନରେ କାମ ନକରି ସଂମ୍ପୃକ୍ତ ଠିକାଦାର ରାତିରେ କାମ କରୁଥିଲେ। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁଧୀର ନାୟକଙ୍କୁ ଅବଗତ କରିବା ପରେ ସମସ୍ତ ବିଷୟ ଶୁଣି ଅଧିକାରୀ ଜଣକ କୌଣସି ପ୍ରତିକ୍ରିୟା ନଦେଇ ହଠାତ୍ ଫୋନଟିକୁ କାଟି ଦେଇଥିଲେ। ପରେ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ସେନାପତିଙ୍କ ସହ ଯୋଗାଯୋଗ କରିବାରୁ ଯନ୍ତ୍ରୀ ରାସ୍ତାକାମ ସମ୍ପର୍କରେ କିଛି ଜାଣି ନଥିବା କହିଥିଲେ ଏଥିରୁ ସ୍ପଷ୍ଟ ଅନୁମେୟ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାକୁ କିପରି ସରକାରୀ ବାବୁମାନେ ହରିଲୁଟ୍ କରିବାରେ ବ୍ୟସ୍ତ । ଏ ସମ୍ପର୍କରେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଦେଖାଯାଉ ପ୍ରଶାସନ ଏ କ୍ଷେତ୍ରରେ କି ପଦକ୍ଷେପ ନେଉଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।