You are currently viewing କଟ୍ରଂଗ ଗ୍ରାମବାସୀଂକର ଆମରଣ ଅନଶନ  !

କଟ୍ରଂଗ ଗ୍ରାମବାସୀଂକର ଆମରଣ ଅନଶନ !

  • Post category:ଓଡିଶା
  • Reading time:1 mins read

ଅନୁଗୁଳ(ଏଏନଏସ)୦୬/୦୮, ସାତକୋଶିଆ ଅଭୟାରଣ୍ୟରୁ କଟ୍ରଂଗ ଗ୍ରାମ ସ୍ଥାନାନ୍ତର ପ୍ରକ୍ରିୟାରେ ସରକାରୀ ପାତର ଅନ୍ତର ଏବଂ ପ୍ରିୟାପ୍ରୀତି ଘଟଣାରେ ୨୦ ପରିବାର ପ୍ୟାକେଜ୍ ରୁ ବଂଚିତ ହୋଇଥିବା ଜଣାଯାଇଛି । ଅଭୟାରଣ୍ୟରୁ ସ୍ଥାନାନ୍ତର ମାର୍ଗଦର୍ଶିକା ଓ ନିୟମାବଳୀ କେନ୍ଦ୍ରର ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୁପକ୍ଷ ଏବଂ ରାଜ୍ୟ ସରକାରଂକର ମାର୍ଗଦର୍ଶିକାକୁ ମୂଳ ବନ ବିଭାଗ ଆଦୌ ଅନୁସରଣ କରିନଥିବା ଦୃଢ ଅଭିଯୋଗ ହୋଇଛି । ପ୍ରାୟଃ ୩ ଶହ ବର୍ଷର ଅବସ୍ଥିତି କଟ୍ରଂଗ ରାଜସ୍ବ ଗ୍ରାମର ଗ୍ରାମବାସୀ ପ୍ରାୟଃ ୧ ହଜାର ଏକର ଘରୋଇ ଓ ସରକାରୀ ରାଜସ୍ବ ଜମି ଗ୍ରାମବାସୀ ହରାଉ ଥିବା ଜଣାଯାଇଛି । ଏହି ଗ୍ରାମର ୧୪୯ ପରିବାର ଗ୍ରାମର ୪ ଟି ସାହିରେ ବସବାସ କରୁଥିଲେ । ଅଭୟାରଣ୍ୟ ଓ ବ୍ୟାଘ୍ର ପ୍ରକଳ୍ପ ପାଇଁ ଗାଁ ରେ ସମସ୍ତ ଜଂଗଲ ବିକାଶ କାର୍ଯ୍ୟ ବନ୍ଦ ଯୋଗୁଁ ଏବଂ ବନ୍ୟଜନ୍ତୁଂକ ସଂଖ୍ୟା ବୃଦ୍ଧିରେ ଫସଲ ନଷ୍ଟ ଯୋଗୁଁ ଗାଁ ର ଅଧିକାଂଶ ଲୋକ ବାହାରକୁ କାମ ଧନ୍ଦା ପାଇଁ ଯାଇଥାନ୍ତି । ଗ୍ରାମ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବା ଜାଣି ଗ୍ରାମବାସୀ ଗାଁ ରେ ପହଂଚି ସେମାନଂକର ମୌଳିକ ଦାବୀ ବିଭିନ୍ନ ସମୟରେ ଉପସ୍ଥାପନ କରଛନ୍ତି । ଗାଁ ରେ ଅନୁଷ୍ଠିତ ହୋଇଥିବା ସଭା ସମିତି ଓ ପଲ୍ଲୀସଭାରେ ଗ୍ରାମବାସୀ ସେମାନଂକର ଦାବୀ ଆପତ୍ତି କରିବା ସତ୍ବେ ୨୦ ପରିବାରକୁ ପ୍ୟାକେଜ୍ ରେ ଅନ୍ତର୍ଭୂକ୍ତ କରାଯାଇନଥିବା ଜଣାଯାଇଛି । ଅନ୍ୟପକ୍ଷରେ ବର୍ଷବର୍ଷ ଧରି ଗ୍ରାମରେ ଆଦୌ ରହୁନଥିବା ଏବଂ ବହୁ ଦିନରୁ ସେମାନଂକର ଆଦୌ ଘରଦ୍ବାର ନ ଥିବା ବନ ବିଭାଗରେ ଚାକିରୀ ଏବଂ ଜଗୁଆଳୀ କାର୍ଯ୍ୟ କରୁଥିବା ଓ ସେମାନଂକର ସଂର୍ପକୀୟ ମାନଂକ ନାମରେ ପ୍ୟାକେଜ୍ ରଖାଯାଇଥିବା ଘଟଣା ବଂଚିତ ଗ୍ରାମବାସୀଂକୁ ମର୍ମାହତ କରିଅଛି ।ବନ ବିଭାଗ ପକ୍ଷରୁ ସ୍ଥାନାନ୍ତର ପ୍ରକ୍ରିୟାର ସରକାରୀ ଗାଇଡ ଲାଇନ୍ ଓ ନିୟମାବଳୀର ସାରାଂଶକୁ ସରଳ ଭାଷାରେ ଆଦୌ ଗ୍ରାମବାସୀଂକୁ ବୁଝାଯାଇନାହିଁ । ସ୍ଥାନାନ୍ତର ଏବଂ ବାସଚ୍ୟୁତ ଏକ ଗୁରୁତ୍ବପୂର୍ଣ୍ଣ ସମ୍ବେଦନଶୀଳ ପ୍ରସଂଗ ହୋଇଥିଲେ ମଧ୍ୟ ବନ ବିଭାଗ ଏହାକୁ ହାଲୁକା ଭାବେ ଗ୍ରହଣ କରିଥିବା ବହୁ ମାନବାଧିକାର ସଂଗଠନ ଓ ସାମାଜିକ କର୍ମୀ ସହିତ ଆଦିବାସୀ ସଂଗଠନର ପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଅଛନ୍ତି ।

ସ୍ଥାନାନ୍ତର ପ୍ରକ୍ରିୟାରେ ପଲ୍ଲୀସଭା ଓ ଗ୍ରାମସଭାର ଭୂମିକା ଗୁରୁତ୍ବପୂର୍ଣ୍ଣ ଏବଂ ସ୍ବଚ୍ଛତା ଭିତରେ ସମସ୍ତ ବିଷୟ ଆଲୋଚନା ହୋଇ ନିଷ୍ପତ୍ତି ଗ୍ରହଣ ହେବାର ବ୍ୟବସ୍ଥା ରହିଛି । ବନ ବିଭାଗ ତରବରିଆ ଭାବେ କେତେକ ୱାଚର୍ ମାନଂକ ଜରିଆରେ ଗ୍ରାମର ତଥ୍ୟ ସଂଗ୍ରହକରି ପଲ୍ଲୀସଭା ଓ ଗ୍ରାମସଭାରେ ସଠିକ୍ ଉପରେ ଆଲୋଚନା ନ କରି ପ୍ରିୟାପ୍ରିତୀ ପୋଷଣରେ ପ୍ୟାକେଜ୍ ରେ ନାମ ପଂଜୀକୃତ କରିଅଛି । ଗ୍ରାମର ୨୬ ପରିବାର ନିଜର ସମସ୍ତ ପ୍ରମାଣପତ୍ର ସହ ଜିଲ୍ଲା ପ୍ରଶାସନ ଓ ବନ ବିଭାଗକୁ ବିଭିନ୍ନ ସମୟରେ ଲିଖିତ ଓ ମୌଖିକ ସାକ୍ଷାତ କରି ଅବଗତ କରାଯାଇଥିଲେ ମଧ୍ୟ କେବଳ ଆଶ୍ବାସନା ଦିଆଯାଇଥିଲା । ପଲ୍ଲୀସଭା, ଗ୍ରାମସଭା ଓ ଅନ୍ୟାନ୍ୟ ସଭାସମିତି ଓ ଆଲୋଚନା ସମୟରେ ବନ ବିଭାଗ ଆଦୌ ସ୍ବଚ୍ଛତା ଅବଲମ୍ବନ କରିନାହିଁ କି ପ୍ରାଂଜଳଭାବେ ଗ୍ରାମବାସୀଂକୁ କୌଣସି ବିଷୟରେ ଜଣାଇନାହିଁ । ଗ୍ରାମର ୧୨୩ ପରିବାର ପ୍ୟାକେଜ୍ ରେ ଅନ୍ତର୍ଭୂକ୍ତ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୭୬ ଜଣ ପ୍ୟାକେଜ୍ ପାଇଥିବା ବିଶେଷ ସୂତ୍ରରୁ ଜଣାଯାଇଛି । ଗ୍ରାମର ବାସିନ୍ଦା ନ ହୋଇ ବର୍ଷବର୍ଷ ଧରି ଗାଁ ରେ ରହୁନଥିବା ୭ ରୁ ୧୦ ଜଣ ବନ ବିଭାଗର ଅନୁଗ୍ରହ ମୂଳକ ବେଆଇନ୍ ପ୍ୟାକେଜ୍ ପାଇଥିବା ନେଇ ବଂଚିତ ୨୦ ପରିବାରଂକ ମନରେ ଅସନ୍ତୋଷ ବୃଦ୍ଧିପାଇଛି ।ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବଂଚିତ ୨୦ ପରିବାର ଲୋକଂକର ଘର ,ଅର୍ଦ୍ଧଭଗ୍ନ ଘର , ଜମିବାଡି, ଘରଡିହ , ଗଛ, କୂଅ ଆଦି ସ୍ଥାବର ସଂପତ୍ତି କଟ୍ରଂଗ ଗ୍ରାମରେ ଥିବାବେଳେ ସେମାନଂକର ଭୋଟ୍ ପରିଚୟ ପତ୍ର, ଆଧାର କାର୍ଡ, ରେସନ୍ କାର୍ଡ, ଜବ୍ କାର୍ଡ ଅନ୍ୟାନ୍ୟ ସରକାରୀ ପ୍ରମାଣ ପତ୍ର କଟ୍ରଂଗ ଗ୍ରାମରେ ରହିଅଛି । କଟ୍ରଂଗ ଗ୍ରାମରେ ଗଠିତ ହୋଇଥିବା ଇଡିସି ର ସେମାନେ ସଭ୍ୟ ଓ ସଭ୍ୟା , ସରକାରଂକ ପକ୍ଷରୁ ହୋଇଥିବା ଜମିଜମା ସେଟେଲ୍ ମେଣ୍ଟ୍ ରେ ସେମାନଂକର ନାମରେ ମାଲିକାନା ସତ୍ବ ଥିବା ୨୦୧୫ ମସିହାରେ ଜମିପଟ୍ଟା ରେକର୍ଡ ରେ କଟ୍ରଂଗ ବାସିନ୍ଦାର ପ୍ରଜା ଭାବେ ପ୍ରମାଣ ରହିଅଛି । ସରକାରଂକ ପକ୍ଷରୁ ସ୍ଥାବର ଅସ୍ଥାବର ସମ୍ପତ୍ତି ସହିତ ଅନ୍ୟାନ୍ୟ ସରକାରୀ ପ୍ରମାଣ ପତ୍ର ଥାଇ ପ୍ୟାକେଜ୍ ନ ପାଇବା ଏକ ଦୁର୍ଭାଗ୍ୟ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ୟାକେଜ୍ ରୁ ବଂଚିତ ୨୦ ପରିବାର ର ସମସ୍ତ ପରିବାର ଆଗାମୀ ଅଗଷ୍ଟ ୯ ତାରିଖରେ ଆମରଣ ଅନଶନ ସାତକୋଶିଆ ବନଖଣ୍ଡ ଅଧିକାରୀଂକ କାର୍ଯ୍ୟାଳୟ ସମ୍ମୁଖରେ କରାଯିବାକୁ ନିଷ୍ପତି ନିଆଯାଇଅଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।