You are currently viewing ରୁଷୀୟ ନାଗରିକଙ୍କ ମୃତ ଦେହ କୂଳରେ ପହଞ୍ଚଲା

ରୁଷୀୟ ନାଗରିକଙ୍କ ମୃତ ଦେହ କୂଳରେ ପହଞ୍ଚଲା

  • Post category:ଓଡିଶା
  • Reading time:1 mins read

ପାରାଦୀପ (୪.୦୧.୨୩) : ପାରାଦୀପ ପୋର୍ଟ ଆଙ୍କରେଜରେ ଥିବା ଏକ ଜାହଜରେ ଗତକାଲି ଜଣେ ଋଷୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ଖବର ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଗତ କାଲି ଭୋରରୁ ମାଲବାହୀ ଜାହାଜ ଏମଭି ଅଲ ଦନାହର ଚିଫ ଇଞ୍ଜିନିୟର ମିଲ୍ୟାକୋଭ ସର୍ଗେଇଙ୍କର ମୃତ୍ୟୁ ହୋଇଥିବା ଜଣ ପଡିଥିଲା ।   ହେଲେ ଜାହାଜରୁ କୂଳକୁ ମୃତଦେହ ଆଣିବାକୁ  ଗୋଟିଏ ଦିନ ଲାଗିଗଲା।  ଅର୍ଥାତ ମୃତ୍ୟୁର ପ୍ରାୟ ୨୧ ଘଣ୍ଟା ପରେ ଗତକାଲି ବିଳମ୍ବିତ ରାତିରେ  ହସ୍ପିଟାଲରେ ଋଷୀୟ ନାଗରିକ ମିଲ୍ୟାକୋଭ୍ ସର୍ଗେଇଙ୍କର ମୃତଦେହ ପହଞ୍ଚିଲା ।ଗତକାଲି ବିଳମ୍ବିତ ରାତିରେ ଜାହାଜ ବନ୍ଦର ମଧ୍ୟରେ ବର୍ଥିଙ୍ଗ କରିବା ପରେ ରାତି ପ୍ରାୟ ୧.୧୦ରେ ମିଲ୍ୟାକୋଭ୍ ସର୍ଗେଇଙ୍କ ମୃତଦେହ ପାରାଦୀପ ବନ୍ଦର ହସ୍ପିଟାଲରେ ପହଞ୍ଚିଥିଲା।  ଜାହାଜ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିଯୁକ୍ତ  ଏଜେଣ୍ଟ ସଂସ୍ଥା ‘କାହ୍ନା ସିପିଙ୍ଗ’  ପକ୍ଷରୁ ଏତଲା ଦିଆଯିବା ପରେ ପାରାଦୀପ ସାମୁଦ୍ରିକ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ  ହୋଇଛି। ଏହାକୁ ଭିତ୍ତି କରି ପୁଲିସ ଜାହାଜରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି। ପୁଲିସ୍‌ ଜାହାଜରେ ଥିବା ଅବଶିଷ୍ଟ ୨୨ଜଣ କ୍ରିଉ ମେମ୍ବରଙ୍କୁ ପଚରାଉଚରା କରିଛି। ଏବେ ସୁଦ୍ଧା ଏହି ଋଷୀୟ ନାଗରିକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ପୋର୍ଟ କର୍ତ୍ତୃପକ୍ଷ ଏବଂ ପୁଲିସ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇଥିବା ଜଣାଯାଇଛି।ମାଲବାହୀ ଜାହାଜ ଏମଭି ଅଲ୍ ଦନାହଟି ବାଂଲାଦେଶ ଚଟ୍ଟୋଗ୍ରାମରୁ ଆସିଥିଲା । ପାରାଦୀପରୁ ଏହା ଲୁହାପଥର ବୋଝେଇ କରି ମୁମ୍ବାଇ ଯାଇଥାନ୍ତା । ଏହା ମଧ୍ୟରେ ପାରାଦୀପରେ ଜାହାଜଟି ଆଙ୍କରେଜରେ ଥିବା ବେଳେ ଚିଫ୍ ଇଞ୍ଜିନିୟର ମିଲିୟାକୋଭ ସର୍ଗେଇଙ୍କ ମୃତ୍ୟୁ ହୋଇଥିଲା । ତଦନ୍ତ ପରେ ସର୍ଗେଇଙ୍କ ମୃତ୍ୟୁ କେମିତି ହୋଇଛି ଜଣାପଡିବ ବୋଲି ପାରାଦୀପ ବନ୍ଦରର ଅଧ୍ୟକ୍ଷ ପିଏଲ୍ ହରିନାଥ କହିଛନ୍ତି।ଓଡ଼ିଶାରେ କିଛି ଦିନ ପୂର୍ବେ ୨ ରୁଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ସମଗ୍ର ଦେଶରେ ହଟଚମଟ ସୃଷ୍ଟି  ହୋଇଥିବା ବେଳେ ଏବେ ଆଉ ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ପରିସ୍ଥିତିକୁ ଅଧିକ ସରଗରମ କରୁଛି।

ଅନ୍ୟମାନଙ୍କୁ ଜଣାନ୍ତୁ।