You are currently viewing ସ୍କୁଲ ଖୋଲିବାକୁ ନେଇ ନିଷ୍ପତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ସ୍କୁଲ ଖୋଲିବାକୁ ନେଇ ନିଷ୍ପତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୨/୦୨: କୋଭିଡ୍ କାରଣରୁ ଗତ ଦୁଇବର୍ଷ ଧରି ରାଜ୍ୟରେ ସ୍କୁଲ ବନ୍ଦ ରହିଛି । ଅନେକ ସମୟରେ ଅଳ୍ପ ସମୟ ପାଇଁ ସ୍କୁଲ ଖୋଲିଥିଲେ ହେଁ ପୁଣି ସଂକ୍ରମଣ ବଢ଼ିବା କାରଣରୁ ବନ୍ଦ କରାଯାଇଥିଲା । ଏପରି ସ୍ଥଳେ ଅନଲାଇନରେ ଶିକ୍ଷାଦାନ ଜାରି ରହିଥିଲା । ମାତ୍ର ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଦୈନିକ ସଂକ୍ରମଣ କମୁଥିବା ବେଳେ ରାଜ୍ୟରେ କୋଭିଡ୍ କଟକଣା ମଧ୍ୟରେ ସ୍କୁଲ ଖୋଲିବା ପାଇଁ ବିଭିନ୍ନ ଅବିଭାବକ ସଂଘ ଓ ସ୍କୁଲ କର୍ତ୍ତୁପକ୍ଷ ଦାବି ଜଣାଇଥିଲେ । ଏହାକୁ ନେଇ ହାଇକୋର୍ଟରେ ମାମଲା ମଧ୍ୟ ଦାୟର କରାଯାଇଥିଲା । ଆଜି ଏହାର ଶୁଣାଣି କରିଛନ୍ତି ହାଇକୋର୍ଟ। କରୋନା କଟକଣା ସହ କିଭଳି ସ୍କୁଲ ଖୋଲାଯିବ ସେ ନେଇ ଜଣାଇବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ୨ମାସ ସମୟ ଦେଇଛନ୍ତି। ୨ମାସ ମଧ୍ୟରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବା ସହ ହାଇକୋର୍ଟଙ୍କୁ ଜଣାଇବେ ରାଜ୍ୟ ସରକାର।

ଉଲ୍ଲେଖଯୋଗ୍ୟ, ରଞ୍ଜିତା ମହାପାତ୍ରଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ, କରୋନା କଟକଣା ନାଁରେ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଥା କେହି ଚିନ୍ତା କରୁ ନାହାନ୍ତି। ଦୁଇ ବର୍ଷ ହେବ କରୋନା ସଂକ୍ରମଣସ୍ଥିତି ଯୋଗୁଁ ଶିକ୍ଷାନୁଷ୍ଠାନ ବିଭିନ୍ନ ସମୟରେ ବନ୍ଦ ରଖାଯାଉଛି। ସ୍କୁଲ ବନ୍ଦ ରହୁଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢାରୁ ଏକ ପ୍ରକାର ଦୂରେଇ ଯାଇଛନ୍ତି। ପିଲାମାନଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଚାଲି ଯାଉଛି। ଏଭଳି ସ୍ଥିତିରେ ତୁରନ୍ତ କରୋନା କଟକଣା ଭିତରେ ସ୍କୁଲ ଖୋଲାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।