You are currently viewing ପରଲୋକରେ ଝରଣା ଦାସ

ପରଲୋକରେ ଝରଣା ଦାସ

କଟକ(୧.୧୨.୨୨) : ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ ଘଟିଛି । କଟକ ଚଣ୍ଡି ରୋଡ ସ୍ଥିତ ବାସ ଭବନରେ ଗତ କାଲି ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ତାଙ୍କର ମୃତ୍ୟୁ ପରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ବହୁ କଳାକାର ତାଙ୍କର ଶେଷ ଦର୍ଶନ କରୁଛନ୍ତି । ୬୦ ଦଶକରେ ଓଡ଼ିଆ ସିନେମାରେ ଆଗଧାଡ଼ିର ଅଭିନେତ୍ରୀ ଥିଲେ ଝରଣା। ଚଳଚ୍ଚିତ୍ର ବ୍ୟତୀତ ସେ ଆକାଶବାଣୀ ଓ ଦୂରଦର୍ଶନ ସହିତ ମଧ୍ୟ ଜଡ଼ିତ ଥିଲେ। ହରେକୃଷ୍ଣ ମହତାବଙ୍କ ଉପରେ ନିର୍ମିତ ଏକ ବୃତ୍ତଚିତ୍ରରେ ସେ ନିର୍ଦ୍ଦେଶନା ଦେଇଥିଲେ। ଏହାସହ ସେ “ଘର ଭଡ଼ା ଦିଆ ଯିବ” ଓ “ମଣିଷ” ଆଦି କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ। ଏଥିସହିତ ସେ ନିଜର ଫିଲ୍ମରେ ଅଭିନୟ ଚାଲୁ ରଖିଥିଲେ । ‘୧୯୬୪ ମସିହାରେ ନିର୍ମିତ କଥାଚିତ୍ର ‘ଅମଡା ବାଟ’ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ ଝରଣା । ୧୯୬୫ ମସିହାରେ ନିର୍ମିତ ଚଳଚ୍ଚିତ୍ର ‘ମଲାଜହ୍ନ’ରେ ସତୀ ଭୂମିକାରେ ଅଭିନୟ କରି ସେ ଲୋକପ୍ରିୟତାହାସଲ କରିଥିଲେ। ଅମଡ଼ା ବାଟ’, ‘ମଲା ଜହ୍ନ’ ଓ ‘ଅଦିନ ମେଘ’  ତାଙ୍କର ଚର୍ଚ୍ଚିତ ଫିଲ୍ମ ଥିଲା। ୧୯୪୫ ମସିହାରେ କଟକର ଚାନ୍ଦିନି ଚୌକରେ ଝରଣା ଦାସ ଜନ୍ମ ଗ୍ରହଣ କରିଥିଲେ। ସମସ୍ତେ ତାଙ୍କୁ ଶ୍ରଦ୍ଧାରେ ଝୁମୁ ଡାକୁଥିଲେ। ଝରଣାଙ୍କର ଦଶ ଭାଇ ଭଉଣୀ  ଥିଲେ। ତାଙ୍କ ମା’ ଲେଖିଦେଇଥିବା ନାଟକକୁ ଘରେ ଖଟ ଯୋଡ଼ି ଓ ଶାଢ଼ୀ ଟାଣି ମଞ୍ଚା କରି ଭାଇ ଭଉଣୀ ମିଶି ଅଭିନୟ କରୁଥିଲେ । ଝରଣା ଦାସ ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ । ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ ଝରଣା ଦାସ। ସେ ଫଟୋଗ୍ରାଫର ଦୀପକ ଦାସଙ୍କୁ ବିବାହ କରିଥିଲେ। ଝରଣା ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।