You are currently viewing ସରକାରୀ ଜାଗା ଜବରଦଖଲ ନେଇ ହିଂସାକାଣ୍ଡ;ବୋମା, ଗୁଳିମାଡ଼ରେ ଥରିଲା ଅଞ୍ଚଳ

ସରକାରୀ ଜାଗା ଜବରଦଖଲ ନେଇ ହିଂସାକାଣ୍ଡ;ବୋମା, ଗୁଳିମାଡ଼ରେ ଥରିଲା ଅଞ୍ଚଳ

ବ୍ରହ୍ମଗିରି(ଏଏନଏସ)୦୮/୧୧:  ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ତଥା ସାତପଡା ଫାଣ୍ଡି ଅନ୍ତର୍ଗତ ନାଥପୁର ଭୋଇସାହି ନିକଟରେ ସରକାରୀ ଜମିରେ ବ୍ରହ୍ମପୁର ଗାଁରୁ ବିତାଡିତ ଅସବର୍ଣ୍ଣ ଭୋଇ ପରିବାର ଜବରଦଖଲରେ ରହିବା ନେଇ ସବର୍ଣ୍ଣ ଓ ଅସବର୍ଣ୍ଣମାନେ ମୁହାଁମୁହିଁ ହୋଇଛନ୍ତି । ୧୧ ପଞ୍ଚାୟତର ୩୫ ମୌଜା ସବର୍ଣ୍ଣଙ୍କ ଓ ବିତାଡ଼ିତ ଅସବର୍ଣ୍ଣଙ୍କ ମଧ୍ୟରେ ହିଂସାକାଣ୍ଡ ଘଟିଛି । ଏହି ହିଂସାକାଣ୍ଡରେ ବୋମା ଓ ଗୁଳି ମାଡ଼ ହୋଇଥିବା ବେଳେ ଉଭୟ ପକ୍ଷରୁ ୧୦ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ ବନ୍ଧମୁଣ୍ଡା ଗ୍ରାମର ପ୍ରସନ୍ନ ଦାସ, ବିଦୁଲତା କାଣ୍ଡି, ପରୀକ୍ଷିତ କାଣ୍ଡି, କମଳି ଭୋଇ, ବିଦ୍ୟାଧର ଭୋଇ, ଜିତୁ ପରିଡ଼ା, ଅମୂଲ୍ୟ ସାହୁ, ଦୀପକ ଜେନା ଗୁରୁତର ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଆଉ କେତେକ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି । ଗୁଳିମାଡ଼ରେ ଗୁରୁତର ଜଣେ ବ୍ୟକ୍ତି କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ସୂତ୍ରରୁ ଜଣାପଡ଼ିଛି ।

ଖବର ପାଇ ଘଟଣାସ୍ଥଳରେ ପୁରୀ ଅତିରିକ୍ତ ଏସପି, ଏସଡିପିଓ କିଶୋର କୁମାର ମୁଣ୍ଡ, ବ୍ରହ୍ମଗିରି ଥାନା ଆଇଆଇସି ମନୋଜ କୁମାର ଶତପଥୀ, ତହସିଲଦାର କାହ୍ନୁ ଚରଣ ଘଡେଇଙ୍କ ସମେତ ୬ ପ୍ଲାଟୁନ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ସମସ୍ତେ ଉପସ୍ଥିତ ଥିଲେ ମଧ୍ୟ ଅସବର୍ଣ୍ଣଙ୍କ ତରଫରୁ ପ୍ରାୟ ୫୦ରୁ ୬୦ ବୋମା ଫୁଟା ଯାଇଥିଲା । ବ୍ରହ୍ମପୁରରୁ ବିତାଡ଼ିତ ଅସବର୍ଣ୍ଣଙ୍କ ପକ୍ଷରୁ ୩୫ ମୌଜାର ଲୋକଙ୍କ ଉପରେ ଆକ୍ରମଣ ଘଟଣା ବିଜୁଳି ବେଗରେ ବ୍ୟାପୀ ଯାଇଥିଲା । ୩୫ ମୌଜା ଲୋକମାନେ ଏକଜୁଟ ହେବାରେ ଅସବର୍ଣ୍ଣ ଲୋକେ ଭୟରେ ଜଙ୍ଗଲ ଭିତରକୁ ପଳାଇଥିଲେ । ପରେ ଅସବର୍ଣ୍ଣଙ୍କ ଘରଗୁଡ଼ିକ ଉପରେ ବୋମା ପକାଇବା ସହ ନିଆଁ ଲଗାଇ ଜଳାଇ ଦେଇଥିଲେ । ଏହି ସମୟରେ ବନ୍ଧୁକରୁ ଗୁଳି ବର୍ଷା କରାଯାଇଥିଲା ।

ଚାହୁଁ ଚାହୁଁ ଅସବର୍ଣ୍ଣ  ପରିବାର ଲୋକଙ୍କ ଘର ହୁତୁ ହୁତୁ ହୋଇ ଜଳି ଯାଇଥିଲା । ଘର ଭିତରେ ଥିବା ଗ୍ୟାସ ସିଲିଣ୍ଡର ଫାଟିବାର ଭୟଙ୍କର ଶବ୍ଦରେ ପାଖକୁ ପଶିବା ପାଇଁ କେହି ସାହସ କଲେ ନାହିଁ । ପୁଲିସ ସାଜିଥିଲେ ନିରବଦ୍ରଷ୍ଟା । ଖବର ପାଇ ବ୍ରହ୍ମଗିରି ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଘରଦ୍ୱାର ସବୁ ଜଳି ପାଉଁଶ ହୋଇଯାଇଥିଲା । ଦହିଖିଆ ନିକଟସ୍ଥ ଖଣ୍ଡିଆବନ୍ଧ ଭୋଇସାହି ଛକଠାରେ ଏବଂ ପଣସପଦା ଭୋଇସାହି ଛକଠାରେ ଅସବର୍ଣ୍ଣମାନେ ରାସ୍ତାରୋକ କରିବା ସହ ୩୫ ମୌଜାର ଲୋକମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଅନ୍ୟ ପକ୍ଷରେ ବିତାଡ଼ିତ ଅସବର୍ଣ୍ଣ ଲୋକଙ୍କ ପାଇଁ ନିକଟସ୍ଥ ଅସବର୍ଣ୍ଣ ଗାଁର ଲୋକେ ସାମିଲ ହୋଇଥିବା ଅନୁମାନ କରାଯାଇଛି । ଘଟଣାସ୍ଥଳରେ ୬ପ୍ଲାଟୁନ୍ ଫୋର୍ସ ମୁତୟନ ଥିଲେ ମଧ୍ୟ ପରିସ୍ଥିତି ଗମ୍ଭୀର ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।