You are currently viewing ସାବଧାନ୍‌: ମାତିଛନ୍ତି ଶିକ୍ଷା ଦଲାଲ!

ସାବଧାନ୍‌: ମାତିଛନ୍ତି ଶିକ୍ଷା ଦଲାଲ!

ଭୁବନେଶ୍ୱର, ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବେପାରରେ ପରିଣତ ହୋଇଥିବାବେଳେ, ଗଣଶିକ୍ଷା ଉଚ୍ଚଶିକ୍ଷା ଅଧୁନା ଦଲାଲ ମାନଙ୍କ କବଳରେ କବଳିତ ହୋଇଛି । ରାଜ୍ୟ ସାରା ଗଢ଼ି ଉଠିଥିବା ବି.ଇ.ଡ଼ି କଲେଜ ଗୁଡ଼ିକୁ ରାଜ୍ୟ ଶିକ୍ଷାବିଭାଗ ସ୍ୱୀକୃତି ନଦେବାଫଳରେ ଏହିସବୁ ମହାବିଦ୍ୟାଳୟ ଗୁଡ଼ିକ ବର୍ତ୍ତମାନ ଏକକାର ଅଚଳ ହୋଇପଡ଼ିଛି । ଘରୋଇ ଉଦ୍ୟୋଗରେ ପରିଚାଳିତ ହେଉଥିବା ଏହି ବିଇଡ଼ି କଲେଜ ଗୁଡ଼ିକ ୮୦ରୁ ୯୦ ଦଶକରେ ଏକ ପ୍ରକାର ବିଇଡ଼ି ଶିକ୍ଷାକୁ କବଳିତ କରିଥିଲା । ଶିକ୍ଷିତ ବେକାର ଯୁବକ ଯୁବତୀ ମାନେ ଚଢ଼ା ଦରରେ ଏହିସବୁ କଲେଜ ଗୁଡ଼ିକରେ ନିଜର ନାମ ଲେଖାଇ ଟ୍ରେନଡ଼ ଗ୍ରାଜୁଏଟ ଶିକ୍ଷକ ହେବାପାଇଁ ଆଶା ବାନ୍ଧି ବସିଥିଲେ ।

ତତ୍କାଳିନ ସମୟର ଏହି କଲେଜ ଗୁଡ଼ିକ ସେତେବେଳେ ଗରିବ ଓ ନିରୀହ ଜନସାଧାରଣଙ୍କ ଠାରୁ ଶିକ୍ଷା ନାମରେ ଅର୍ଥ ଲୁଟ୍ କରିବା ପାଇଁ ପଛାଇ ନଥିଲେ । ମାତ୍ର ସେହି ଅନୁପାତରେ ରାଜ୍ୟ ଗଣଶିକ୍ଷା ବିଭାଗ ଆବଶ୍ୟକୀୟ ନିଯୁକ୍ତି ଦେଇନପାରିବାରୁ ଅନେକ ସମୟରେ ପ୍ରଶିକ୍ଷିତ ଯୁବକଯୁବତୀମାନେ ଆନ୍ଦୋଳନ କରିବାକୁ ପଛାଉନଥିଲେ । ଏହାପରେ ସରକାର ଶିକ୍ଷା ସହାୟକ ଓ ଗଣଶିକ୍ଷକମାନଙ୍କୁ ନିଯୁକ୍ତି କେତେକାଂଶରେ ପ୍ରଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଚାକିରୀ ଯୋଗାଇଥିଲେ ହେଁ, ଏବେବି ଅନେକ ଡିଗ୍ରୀ ଧାରୀ ବିଇଡ଼ି ପ୍ରାର୍ଥୀମାନେ ଚାକିରୀ ନପାଇ ନିଜ ବୟସର ଅପରାହ୍ନରେ ପହଞ୍ଚିଲେଣି ।

ରାଜ୍ୟରେ ଥିବା ସରକାରୀ ବିଇଡ଼ି କଲେଜ ଗୁଡ଼ିକ ସୂଚାରରୂପେ ପରିଚାଳନ ହୋଇପାରିନଥିବାରୁ କିଛି ଶିକ୍ଷା ଦଲାଲ ଆନ୍ଧ୍ର ବିଶ୍ୱ ବିଦ୍ୟାଳୟ ସହିତ ସହବନ୍ଧନ କରି ରାଜ୍ୟର ବିଭିନ୍ନ ସ୍ଥାନରେ ବିଇଡ଼ି କୋଚିଂ ନାମରେ ଶିକ୍ଷାନୁଷ୍ଠାନ ଖୋଲିଛନ୍ତି । ଜଣେ ଜଣେ ପ୍ରାର୍ଥୀଙ୍କଠାରୁ ୭୦-୮୦ହଜାର ଟଙ୍କା ଲେଖାଏଁ ନାମ ଲେଖାବେଳେ ଗ୍ରହଣ କରୁଥିବାବେଳେ, ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଆଳ ଦେଖାଇ ଏମାନଙ୍କୁ ଲୁଟୁଥିଲେ ହେଁ, ସରକାରଙ୍କର ଏହା ଉପରେ କୌଣସି ଦ୍ୱିଧା ନାହିଁ ।

୨୦୨୦ କୋଭିଡ଼ ସମୟରେ ଅନଲାଇନ ଓ ଅଫଲାଇନ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଉପୁଜି ଥିବାବେଳେ, ଶିକ୍ଷାର୍ଥୀମାନେ ପରୀକ୍ଷା ଦେବାକୁ ନେଇ ଆଶା ଓ ଆଶଙ୍କାରେ ଦିନ କାଟିଥିଲେ । ପରବର୍ତ୍ତି ସମୟରେ ଆନ୍ଧ୍ର ବିଶ୍ୱ ବିଦ୍ୟାଳୟର ନିର୍ଦ୍ଦେଶ ଅନୁସାରେ ଅଫଲାଇନରେ ପରୀକ୍ଷା ଦେବାକୁ ଗୁଣ୍ଟୁର ଓ ଗୁଣ୍ଟାକଲ୍ ଯାଇ ପରୀକ୍ଷା ଦେଇ ଖର୍ଚ୍ଚାନ୍ତ ହୋଇଥିବାର ଏକ ଅନୁସନ୍ଧାନରୁ ଜଣାପଡ଼ିଛି । ରାଜ୍ୟରେ ଗଢ଼ି ଉଠିଥିବା ଏହି ବିଇଡ଼ି କୋଚିଂ ଅନୁଷ୍ଠାନଗୁଡ଼ିକ ଦୁଇ ଭାଗରେ ବିଭକ୍ତ ହୋଇ ନିଜ ନିଜର ସ୍ୱାର୍ଥ ପାଇଁ ଆଶାୟି ପ୍ରାର୍ଥୀଙ୍କଠାରୁ ମୋଟା ଅଙ୍କର ଅର୍ଥ ଲୁଟୁଛନ୍ତି ।

ତନ୍ମଧ୍ୟରେ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ଓ ସୁନ୍ଦରଗଡ଼ ଆଦି ସହରରେ ଏହି କୋଚିଂ ସେଣ୍ଟର ଗୁଡ଼ିକ ଥିବାବେଳେ, ନା ଏହା ସରକାରଙ୍କ ସ୍ୱୀକୃତି ପାଇଛି, ନା ଏଠାରେ ଶିକ୍ଷା ଦାନ କରୁଥିବା ଶିକ୍ଷକମାନଙ୍କର ଆବଶ୍ୟକ ଯୋଗ୍ୟତା ଅଛି । ଏପରିକି ଯୁକ୍ତ ଦୁଇ ପାଶ କରିନଥିବା କିଛି ବ୍ୟକ୍ତି ଏଭଳି କୋଚିଂ ସେଣ୍ଟର ଚଳାଉଥିବାର ନଜିର ରହିଛି । ନିଜ ନାମରେ ଅନେକ ଅପରାଧିକ ରେକର୍ଡ଼ ଥିଲେ ମଧ୍ୟ ବିଇଡ଼ି କୋଚିଂ ସେଣ୍ଟର ଚଳାଇ ମାଲାମାଲ ହୋଇଥିବାର ଅଗିଯୋଗ ବାରମ୍ବାର ହୋଇଥିଲେ ହେଁ ଗଣଶିକ୍ଷା ବିଭାଗର ନିଦ ଭାଙ୍ଗୁନାହିଁ । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଓ ଗଣଶିକ୍ଷା ବିଭାଗ ଏହାକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ନେବା ପାଇଁ ସମ୍ପୃକ୍ତ କୋଚିଂ ସେଣ୍ଟରରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ତରଫରୁ ଦାବି ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।