bhai dooj

କାହିଁକି ପାଳନ କରାଯାଏ “ଭାଇ ଦୂଜ୍” ପର୍ବ, ଜାଣନ୍ତୁ କ’ଣ ରହିଛି ଏହାର ମହତ୍ୱ

ଆଜି ସମଗ୍ର ବିଶ୍ୱରେ ପାଳନ କରାଯାଉଛି ଭାଇ ଦୂଜ୍ ର ପର୍ବ । ଏହି ଦିନ ଭଉଣୀମାନେ ଭାଇ ପାଇଁ ଉପବାସ ରଖିବା ସହ ଭାଇର ଦୀର୍ଘ ଜୀବନ ଏବଂ ସମୃଦ୍ଧି ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥାନ୍ତି । ଏହାର ପ୍ରତିବଦଳରେ ଭାଇ ଭଉଣୀକୁ ସାରା ଜୀବସନ ସୁରକ୍ଷା ଦେବା ପାଇଁ ପ୍ରତିଶୃତି ଦେଇଥାଏ । ଜ୍ୟୋତିଷଙ୍କ କହିବାନୁଯାୟୀ ଭାଇ ଦୂଜ୍ ଦିନ ଅର୍ଥାତ ଆଜିର ଦିନରେ ଭଉଣୀ ଶୁଭ ସମୟରେ ସମୟରେ ହିଁ ଭାଇର କପାଳରେ ତିଳକ ଲଗାଇବା ଉଚିତ୍ । ମାନ୍ୟତା ରହିଛି ଭାଇ ଦୂଜ୍ ଦିନ ପୂଜା କରିବା ସହ ବ୍ରତ କଥା ଶୁଣିବା ଏବଂ ପଢ଼ିବା ଉଚିତ୍ । କୁହାଯାଇଥାଏ ଏପରି କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ ।

କାହିଁକି ପାଳନ କରାଯାଏ ଭାଇ ଦୂଜ୍ ପର୍ବ:

ଭାଇ ଦୂଜ୍ ପର୍ବ କାର୍ତ୍ତିକ ମାସ ଶୁକ୍ଳପକ୍ଷର ଦ୍ୱିତୀୟା ତିଥିରେ ପାଳନ କରାଯାଇଥାଏ । ଭଗବାନ ସୂର୍ଯ୍ୟ ନାରାୟଣଙ୍କ ପତ୍ନୀଙ୍କ ନାମ ଥିଲା ଛାୟା । ତାଙ୍କ କୋଳରେ ଯମରାଜ ଏବଂ ଯମୁନାଙ୍କ ଜନ୍ମ ହୋଇଥିଲା । ଯମୁନା ଯମରାଜଙ୍କୁ ଅତ୍ୟନ୍ତ ସେହ୍ନ କରୁଥିଲେ । ଏନେଇ ଯମୁନା ସର୍ବନା ଯମରାଜଙ୍କୁ ତାଙ୍କ ମିତ୍ରମାନଙ୍କ ସହ ଘରକୁ ଆସି ଭୋଜନ କରିବା ପାଇଁ ନିବେଦନ କରୁଥିଲେ କିନ୍ତୁ ଯମରାଜ ଯମୁନାଙ୍କର ଏହି ନିବେଦନକୁ ସର୍ବଦା ଟାଳି ଦେଉଥିଲେ । ଏପରି ବାରମ୍ବାର ହେବା ପରେ ଥରେ ଯମୁନା କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦିନ ପୂନର୍ବାର ଯମରାଜଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରିବା ସହ ଘରକୁ ଆସିବା ପାଇଁ ପ୍ରତିଜ୍ଞା କରାଇଥିଲେ ।

ଏହାଦେଖି ଯମରାଜ ଭାବିଲେ, “ମୁଁ ତ ପ୍ରତ୍ୟେକଙ୍କ ପ୍ରାଣ ହରାଉଛି । ଏଥିପାଇଁ ତ ମତେ କେହି ଘରକୁ ନିମନ୍ତ୍ରଣ କରିବା ଉଚିତ୍ ନୁହେଁ । କିନ୍ତୁ ଭଉଣୀ ମତେ ଯେଉଁଭଳି ଶ୍ରଦ୍ଧାର ସହ ନିମନ୍ତଅଣ କରୁଛନ୍ତି ତାହା ପାଳନ କରିବା ମଧ୍ୟ ମୋର ଧର୍ମ । ଏନେଇ ଭଉଣୀ ଘରକୁ ଆସିବା ସମୟରେ ଯମରାଜ ନର୍କରେ ବାସ କରୁଥିବା ଜୀବ-ଜନ୍ତୁଙ୍କୁ ମୁକ୍ତ କରିଦେଇଥିଲେ । ଯମରାଜଙ୍କୁ ଘରକୁ ଆସୁଥିବାର ଦେଖି ଯମୁନା ଅତ୍ୟନ୍ତ ଖୁସି ହେବା ସହ ଭାଇକୁ ପୂଜା କରି ଭୋଜନ କରାଇଥିଲେ । ଯମୁନାଙ୍କର ଏଭଳି ସେହ୍ନ ଏବଂ ସେବା ଦେଖି ଯମରାଜ ପ୍ରସନ୍ନ ହୋଇ ଭଉଣୀକୁ ବର ମାଗିବା ପାଇଁ କହିଥିଲେ ।”

ଏହା ଶୁଣି ଯମୁନା କହିଥିଲେ ହେ ଭାଇ, ଆପଣ ପ୍ରତିବର୍ଷ ଏହି ଦିନରେ ମୋ ଘରକୁ ଆସ । ମୋ ପରି ଯେଉଁ ଭଉଣୀ ଏହି ଦିନ ନିଜ ଭାଇକୁ ଆଦର ସକ୍ରାର କରି ପୂଜା କରିଥାଏ ତାଙ୍କୁ ତୁମର ଭୟ ରହେ ନାହିଁ । ଏହା ଶୁଣି ଯମରାଜ ତଥାସ୍ତୁ କହି ଯମୁନାଙ୍କୁ ଅମୂଲ୍ୟ ଉପହାର ଦେଇ ଯମଲୋକ ଚାଲିଗଲେ । ପରମ୍ପରା ଅନୁଯାୟୀ ସେବେଠାରୁ ହିଁ ଏହି ପର୍ବ ପାଳନ ହୋଇଆସୁଛି । ମାନ୍ୟତା ରହିଛି ଯିଏ ଆତିଥ୍ୟ ସ୍ୱିକାର କରିଥାଏ, ତାଙ୍କୁ ଯମର ଭୟ ରହି ନଥାଏ । ଏହି କାରଣରୁ ଭାଇ ଦୂଜ୍ ପର୍ବରେ ଯମରାଜ ତଥା ଯମୁନା ପୂଜା କରାଯାଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।