You are currently viewing ଜାଣନ୍ତୁ କରବାଚୌଥବ୍ରତର ମହତ୍ତ୍ୱ

ଜାଣନ୍ତୁ କରବାଚୌଥବ୍ରତର ମହତ୍ତ୍ୱ

ଆଜି କରଓ୍ଵା ଚୌଥ ବ୍ରତ। ସୁହାଗିନୀ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି କରଓ୍ଵା ଚୌଥ ବ୍ରତ ରଖି ଥାଆନ୍ତି। ରାତିରେ ଚନ୍ଦ୍ର ଦେଖିବା ପରେ ବ୍ରତ ଭଙ୍ଗ କରନ୍ତି। ପୂରା ଦିନଯାକ ଉପବାସରେ ରହିବା ପରେ ରାତିରେ ଚନ୍ଦ୍ର ଉଇଁବାକୁ ବ୍ରତଧାରୀମାନେ ଉତ୍ସୁକତାର ସହ ଅପେକ୍ଷା କରି ଥାଆନ୍ତି। ତେବେ ଏହି ଦିନ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥାଏ ଯେ କରଓ୍ଵା ଚୌଥର ଜହ୍ନ କେଉଁ ସମୟରେ ଉଇଁବ। ଏହି ବ୍ରତକୁ ଖୋଲିବା ପାଇଁ ଚନ୍ଦ୍ର ଦର୍ଶନ ବହୁତ ଜରୁରୀ ହୋଇଥାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଆଜି ଅକ୍ଟୋବର ୧୩ରେ କରଓ୍ଵା ଚୌଥର ଜହ୍ନ ରାତି ୮ଟା ୧୬ ମିନିଟ୍‌ରେ ଉଇଁବ। ଜହ୍ନ ନଜର ଆସିବା କ୍ଷଣି ବ୍ରତଧାରୀ ମହିଳାମାନେ ଚାଲୁଣୀରେ ଚନ୍ଦ୍ର ଦର୍ଶନ କରିବେ ଏବଂ ଏହାପରେ ନିଜ ସ୍ୱାମୀଙ୍କ ମୁହଁ ଦେଖିବେ। ଏହି ସମୟରେ ଆପଣ ଚନ୍ଦ୍ରଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ପୂଜାର୍ଚ୍ଚନା କରି ସ୍ୱାମୀଙ୍କ ଲମ୍ବା ଆୟୁଷ ପାଇଁ ପ୍ରାର୍ଥନା କରନ୍ତୁ। ହିନ୍ଦୁ କ୍ୟାଲେଣ୍ଡରରେ ଯଦିଓ ଚନ୍ଦ୍ର ଉଦୟର ଏକ ନିଶ୍ଚିତ ସମୟ କୁହାଯାଇଛି, କିନ୍ତୁ ଦେଶର ବିଭିନ୍ନ ସ୍ଥାନରେ ବର୍ଷା, ବାଦଲ ଯୋଗୁ ଅଲଗା ଅଲଗା ସମୟରେ ଚନ୍ଦ୍ର ନଜର ଆସିବ। ଏମିତି ସ୍ଥିତିରେ ଜହ୍ନ ନ ଦେଖି ମଧ୍ୟ ବ୍ରତଧାରୀମାନେ କିଛି ଖାସ୍‌ ଉପାୟ କରି କରଓ୍ଵା ଚୌଥର ବ୍ରତ ଭଙ୍ଗ କରି ପାରିବେ। କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପଡ଼ିଥାଏ କରଓ୍ଵା ଚୌଥ ବ୍ରତ।

ଏଥିସହ ଚନ୍ଦ୍ର ଦର୍ଶନ ପୂର୍ବରୁ ସନ୍ଧ୍ୟା ସମୟରେ କରଓ୍ଵା ଚୌଥର ପୂଜା କରନ୍ତୁ। ସନ୍ଧ୍ୟା ୫ଟା ୫୪ ମିନିଟ୍‌ରୁ ୭ଟା ୦୯ ମିନିଟ୍‌ ପର୍ଯ୍ୟନ୍ତ ରହିଛି ଶୁଭ ବେଳା। ଆପଣ ଏହି ସମୟ ଭିତରେ କରଓ୍ଵା ଚୌଥର ପୂଜା କରି ପାରିବେ। ଏହି ଦିନ କରଓ୍ଵା ଚୌଥର ବ୍ରତ କଥା ଶୁଣନ୍ତୁ। ଜ୍ୟୋତିଷଙ୍କ ମୁତାବକ, ଏଥର କରଓ୍ଵା ଚୌଥରେ ଗ୍ରହମାନଙ୍କର ବିଶେଷ ସ୍ଥିତି ରହୁଛି। ୧୩ ବର୍ଷ ପରେ ଏକ ଅଦ୍ଭୁତ ସଂଯୋଗ ମଧ୍ୟ ସୃଷ୍ଟି ହେଉଛି। ଏହି ସମୟରେ ଗୁରୁ ଦେବ ବୃହସ୍ପତି, ବୁଧ ଏବଂ ଶନି ସ୍ୱଗୃହୀ ଅର୍ଥାତ୍‌ ନିଜ ନିଜ ରାଶିରେ ବିରାଜମାନ କରିବେ, ଯଦ୍ଦ୍ଵାରା ସୁଖ ଓ ସୌଭାଗ୍ୟ ପାଇବାରେ ସହଜ ହେବ। ଏହାଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କର ପାରସ୍ପରିକ ସମ୍ବନ୍ଧ ଏବଂ ବିଶ୍ୱାସ ମଜଭୁତ ହେବ। ଯଦ୍ଦ୍ଵାରା ଆପଣଙ୍କ ପ୍ରାର୍ଥନାର ସୁଫଳ ମିଳିବ।

ଅନ୍ୟମାନଙ୍କୁ ଜଣାନ୍ତୁ।