You are currently viewing ତୁ ମତେ ଛାଡି ଯାଇପାରିବୁ ନାହିଁ ;

ତୁ ମତେ ଛାଡି ଯାଇପାରିବୁ ନାହିଁ ;

ସଂପର୍କ ସର୍ବଦା ସ୍ନେହ,ମମତା, ଭଲପାଇବା ଓ ଅତୁଟ ବିଶ୍ୱାସରେ ବାନ୍ଧି ହୋଇଥାଏ । ଯୋଉ ସଂପର୍କରେ ଯେତେ ଭଲପାଇବା, ସ୍ନେହ,ଶ୍ରଦ୍ଧା ଥାଏ ସେ ସଂପର୍କ ସେତେ ମଜବୁତ ହୋଇଥାଏ । ସିଏ ତେଣିକି ମଣିଷ ମଣିଷ ଭିତରର ସଂପର୍କ ହେଉ କି ମଣିଷ ଓ ପଶୁ ମଧ୍ୟରେ ସଂପର୍କ ହେଉ । ଆଜିକାଲିର ସ୍ୱାର୍ଥପର ଦୁନିଆରେ ମଣିଷ ମଣିଷ ମଧ୍ୟରେ ଥିବା ସଂପର୍କ ସିନା ଭାଙ୍ଗିଯାଉଛି । କିନ୍ତୁ ଗୋଟେ ନିସ୍ୱାର୍ଥପର ପଶୁ ସହ ସଂପର୍କ ଏବଂ ସେହି ପଶୁର ଆମ ପାଇଁଥିବା ଭଲପାଇବା, ସ୍ନେହ,ଶ୍ରଦ୍ଧା କେବେ ଭାଙ୍ଗିପାରେ ନାହିଁ । ଛନ୍ଦକପଟ ବୁଝୁନଥିବା ସ୍ୱଚ୍ଛ ମନର ପଶୁଟି ସର୍ବଦା ତା ବନ୍ଧୁକୁ ନିଜ ପାଖରେ ପାଇବାକୁ ଚାହେଁ । ଏଭଳି ଏକ ଦୁଃଖଭରା ଘଟଣାକୁ ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଘଟଣାଟି ହେଉଛି ଶ୍ରୀଲଙ୍କାର । ଏହି ଭିଡିଓରେ ଦେଖିବାକୁ ମିଳିଛିକି

ଏଥିରେ ଏକ ମାଙ୍କଡ଼ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ଜଣାପଡ଼ିଛି କି, ମୃତ ବ୍ୟକ୍ତି ଜଣକ ମାଙ୍କଡ଼ଟିକୁ ପ୍ରତିଦିନ ଖାଦ୍ୟ ଖାଇବାକୁ ଦେଉଥିଲେ ଏବଂ ତା’ର ଯତ୍ନ ନେଉଥିଲେ।

ଭିଡିଓ କ୍ଲିପ୍‌ରେ ଦେଖାଯାଇ ପାରିବ ଯେ ମାଙ୍କଡ଼ ବ୍ୟକ୍ତିଙ୍କ ମୃତ ଶରୀର ପାଖରେ ଅନେକ ସମୟ ଧରି ବସି ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଛି। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଲୋକଙ୍କୁ ଇମୋସନାଲ୍‌ କରି ଦେଇଛି। ସେମାନେ ପଶୁ ଓ ମଣିଷ ଭିତରେ ବନ୍ଧୁତାକୁ ପ୍ରଶଂସା କରିଛନ୍ତି। ସେହିପରି ଶୋକରେ ବୁଡ଼ି ରହିଥିବା ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ମାଙ୍କଡ଼ର ଏତାଦୃଶ କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟଚତିକ ହୋଇଯାଇଛନ୍ତି। କ୍ଲିପ୍‌କୁ ସେୟାର କରିଥିବା ଅନେକ ୟୁଜରଙ୍କ କହିବା ହେଲା, ଏହାକୁ ଶ୍ରୀଲଙ୍କାର ବଟ୍ଟିକଲୋଆରେ ଶୁଟ୍‌ କରାଯାଇଛି। ଭିଡିଓରେ ଆହୁରି ମଧ୍ୟ ଦେଖାଯାଉଛି କି, ଜଣେ ବ୍ୟକ୍ତି ମାଙ୍କଡ଼ଟିକୁ ଅନ୍ତିମ ସଂସ୍କାର ସ୍ଥଳରୁ ଦୂରକୁ ନେଇଯିବାକୁ ଚେଷ୍ଟା କରୁଛନ୍ତି, ହେଲେ ସେ ଯିବାକୁ ମନା କରି ଦେଉଛି। ସେ ସେମିତି ମୃତଦେହ ପାଖରେ ବସି ରହୁଛି ଏବଂ ବାରମ୍ବାର ମୃତ ବ୍ୟକ୍ତିଙ୍କ ମୁହଁକୁ ଛୁଉଁଛି। ଏତିକି ନୁହେଁ, ମାଙ୍କଡ଼ ତାଙ୍କ ମଥାକୁ ଚୁମା ଦେଉଥିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି। ସେ ନିଜ ହାତକୁ ବ୍ୟକ୍ତିଙ୍କ ମୁହଁ ପାଖକୁ ନେଉଛି ଏବଂ ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଛି। ଏପରି କି, ତାଙ୍କୁ ହଲାଇବାକୁ ମଧ୍ୟ ଉଦ୍ୟମ କରୁଛି। ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ କ୍ଲିପ୍‌ ରହିଛି, ଯେଉଁଥିରେ ଦେଖିବାକୁ ମିଳେ କି, ମଣିଷ ଓ ପଶୁଙ୍କ ଭାବନାରେ କୌଣସି ବି ଫରକ୍‌ ନ ଥାଏ। ପଶୁମାନେ ମଧ୍ୟ ମଣିଷକୁ ଦୁଃଖୀ ଦେଖିବାକୁ ଚାହାଁନ୍ତି ନାହିଁ ଏବଂ ସେମାନଙ୍କୁ ଖୁସି କରିବାକୁ ପୂରାପୂରି ଚେଷ୍ଟା କରନ୍ତି। ବାସ୍ତବିକ୍‌, ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ଭିଡିଓ ଲୋକଙ୍କୁ ଭାବପ୍ରବଣ କରି ଦେଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।