You are currently viewing ଏଥର କାହାକୁ ସମର୍ଥନ କରିବ ବିଜେଡି !

ଏଥର କାହାକୁ ସମର୍ଥନ କରିବ ବିଜେଡି !

ଭୁବନେଶ୍ୱର : ବିଜେପି ଓ କଂଗ୍ରେସ ନେତୃତ୍ୱାଧୀନ ଦୁଇ ପ୍ରମୁଖ ରାଜନୈତିକ ମେଣ୍ଟର ଶକ୍ତି ପ୍ରଦର୍ଶନକାରୀ ବୈଠକ ଆଜି ନୂଆଦିଲ୍ଲୀ ଓ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହୋଇଥିବାବେଳେ ବିଜୁ ଜନତାଦଳ ସମେତ ଆଉ କେତେକ ରାଜନୈତିକ ସଙ୍ଗଠନ ଏଥିରେ ସାମିଲ ନହୋଇ ସମଦୂରତ୍ୱ ରକ୍ଷାର ସଙ୍କେତ ଦେଇଛନ୍ତି ।

ବେଙ୍ଗାଲୁରୁରେ କଂଗ୍ରେସ ସହିତ ୨୬ଟି ରାଜନୈତିକ ଦଳର ପ୍ରତିନିଧି ଆଜି ଏକଜୁଟ ହୋଇଥିବାବେଳେ ଦିଲ୍ଲୀରେ ବିଜେପି ସହିତ ୩୮ଟି ରାଜନୈତିକ ଦଳ ମେଳି କରିଛନ୍ତି । ବିଜେପିର ନେତୃତ୍ୱାଧୀନ ମେଳିର ନାମ ପୂର୍ବପରି ଏନ୍‍ଡିଏ ରହିଥିବାବେଳେ କଂଗ୍ରେସ ନେତୃତ୍ୱାଧିନ ମେଣ୍ଟର ନାମ ବଦଳି ‘ୟୁପିଏ’ ପରିବର୍ତ୍ତେ ‘ଇଣ୍ଡିଆ’ ରଖାଯିବ ବୋଲି ଜଣାପଡିଛି ।

ଓଡ଼ିଶାରେ ୨୩ବର୍ଷ ଧରି ସରକାରରେ ଥିବା ବିଜୁ ଜନତା ଦଳ ସମଦୂରତା ରକ୍ଷା ନୀତି ଆପଣେଇ ଏହି ଦୁଇଟି ମେଣ୍ଟଠାରୁ ଦୂରରେ ରହିଛି । ସେହିଭଳି ଆନ୍ଧ୍ରପ୍ରଦେଶରେ ସରକାରରେ ଥିବା ୱାଇଏସ୍‍ଆର୍‍ କଂଗ୍ରେସ ଓ ତେଲେଙ୍ଗାନାରେ ସରକାରରେ ଥିବା ଭାରତ ରାଷ୍ଟ୍ର ସମିତି ମଧ୍ୟ କୌଣସି ମେଣ୍ଟରେ ସାମିଲ ହୋଇନାହିଁ । ମାୟାବତୀଙ୍କ ବହୁଜନ ସମାଜପାର୍ଟି, ବାଦଲଙ୍କ ଅକାଳୀ ଦଳ ଓ ଓୱେସିଙ୍କ ଇଣ୍ଡିଆନ୍‍ ୟୁନିୟନ୍‍ ଅଫ୍‍ ମୁସଲିମ୍‍ ଲିଗ୍‍ ସମେତ ଆଉ କେତେକ ଦଳ ବି ଏହି ଦୁଇ ମେଣ୍ଟରେ ମିଶି ନାହାନ୍ତି । ତେବେ କଂଗ୍ରେସ ନେତୃତ୍ୱ ପାଇଁ ଆଶ୍ୱାସନାର କଥା ହେଉଛି ଯେ ପାଟନାଠାରେ ଗତମାସରେ ନୀତିଶ କୁମାରଙ୍କ ଡାକରାରେ ବସିଥିବା ବୈଠକରେ ୧୬ଟି ଦଳ ଯୋଗ ଦେଇଥିବାବେଳେ ମାସେ ନପୁରୁଣୁ ଏହି ମେଣ୍ଟରେ ସାମିଲ ହୋଇଥିବା ଦଳ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ଯେଉଁ ଦଳଗୁଡିକର ଭାରତୀୟ ସମ୍ବିଧାନ ପ୍ରତି ଅନୁରକ୍ତି ରହିଛି ସେମାନେ ନୂଆ ବିରୋଧୀ ମେଣ୍ଟରେ ସାମିଲ ହେବାପାଇଁ କଂଗ୍ରେସ ନେତା ଜୟରାମ ରମେଶ ଆହ୍ୱାନ ଦେଇଥିବାବେଳେ ଓଡ଼ିଶାରେ କିନ୍ତୁ ବିଜେଡି ପକ୍ଷରୁ ଏଥିପାଇଁ ସବୁଜ ସଙ୍କେତ ଦିଆଯାଇନାହିଁ । ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭୁବନେଶ୍ୱର ଆସି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ତେବେ କଂଗ୍ରେସ ବାରମ୍ବାର ବିଜେଡି ବିରୁଦ୍ଧରେ ବିବୃତି ଯୁଦ୍ଧ ଚଳାଉଥିବା ପରିପ୍ରେକ୍ଷୀରେ ୨୦୦୮ରୁ ବିଜେପି ହାତ ଛାଡିଥିବା ବିଜେଡି କଂଗ୍ରେସ ମେଣ୍ଟରେ ସାମିଲ ହେବାର ସମ୍ଭାବନା ନାହିଁ ।

ବିଜେଡି ନେତାମାନେ କହୁଛନ୍ତି ଯେ ସମଦୂରତା ରକ୍ଷା ସହିତ ରାଜ୍ୟ ଓ ଦେଶର ସ୍ୱାର୍ଥ ପରିପ୍ରେକ୍ଷୀରେ ବିଜେଡି ସୀମିତ କ୍ଷେତ୍ରରେ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେବାସହ କେନ୍ଦ୍ରୀୟ ଅବହେଳା ବିରୁଦ୍ଧରେ ଲଗାତର ଲଢେଇ ଜାରି ରଖିଛି । ଆଗାମୀ ନିର୍ବାଚନ ପୂର୍ବଥର ଭଳି ବିଜେଡି ଏକାକୀ ଲଢିପାରେ । ତେବେ ଏ ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଠିକଣା ସମୟରେ ଘୋଷଣା କରିବେ ।
ଏଠାରେ ଉଲ୍ଲେଖନୀୟ ଯେ ୨୦୦୪ରୁ ୧୪ ପର୍ଯ୍ୟନ୍ତ ୟୁପିଏ ସରକାର ସମୟରେ ଏବଂ ୨୦୧୪ରୁ ଏଯାବତ୍‍ ଏନ୍‍ଡିଏ ସରକାର କାଳରେ ବିଜେଡି ଉଭୟ ଦଳଠାରୁ ଦୂରରେ ରହିଆସୁଛି । ପୂର୍ବରୁ ୧୯୯୮ରୁ ୨୦୦୮ ପର୍ଯ୍ୟନ୍ତ ବିଜେଡି ଥିଲା ଏନ୍‍ଡିଏ ମେଣ୍ଟର ପ୍ରମୁଖ ଅଂଶୀଦାର । ବିରୋଧୀ ମେଣ୍ଟ ସଫଳ ହେଲେ ଓଡ଼ିଶାରେ କଂଗ୍ରେସ ଦଳ ବାମପନ୍ଥୀ, ଆପ୍‍, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ ଆଦି ସହ ଆସନ ବୁଝାମଣା କରିପାରେ ବୋଲି ମେଣ୍ଟର ଅଂଶୀଦାର ଦଳମାନେ ଆଶା ରଖିଛନ୍ତି ।

ଅନ୍ୟପକ୍ଷରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ, ପଞ୍ଜାବ, ବିହାର ଆଦି ରାଜ୍ୟରେ ବିଧାନସଭା ଓ ଲୋକସଭା ପାଇଁ ଅଂଶୀଦାର ଦଳମାନଙ୍କ ମଧ୍ୟରେ ଆସନ ବୁଝାମଣାର ସଫଳତା ଉପରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ମେଣ୍ଟ ନିର୍ବାଚନୀ ଲଢେଇ ନିର୍ଭର କରୁଛି ବୋଲି ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଏବେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ୧୧ଟି ରାଜ୍ୟରେ ଶାସନ କ୍ଷମତାରେ ଥିବାବେଳେ ଏନ୍‍ଡିଏ ଓ ତାର ସହଯୋଗୀ ଦଳମାନେ ୧୬ଟି ରାଜ୍ୟରେ ସରକାରରେ ଅଛନ୍ତି ।

ଗତ ସାଧାରଣ ନିର୍ବାଚନରେ ୫୪୨ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୩୦୩ଟି ଆସନରେ ଜିଣିଥିବାବେଳେ କଂଗ୍ରେସ ୫୨ ଓ ଅନ୍ୟ ଦଳମାନେ ୧୮୭ଟି ଆସନ ପାଇଥିଲେ । ଓଡ଼ିଶାରେ ୨୧ଟି ଲୋକସଭା ଆସନ ଭିତରୁ ବିଜେଡି ସର୍ବାଧିକ ୧୨ଟି ଆସନ ଜିଣିଥିବାବେଳେ ବିଜେପି ୮ଟି ଓ କଂଗ୍ରେସ ଗୋଟିଏ ଆସନରୁ ଜିଣିଥିଲା । 

ଅନ୍ୟମାନଙ୍କୁ ଜଣାନ୍ତୁ।