You are currently viewing ନିଜର ଶିଶୁପୁତ୍ରର ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା କଲା ମା

ନିଜର ଶିଶୁପୁତ୍ରର ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା କଲା ମା

ନୂଆଦିଲ୍ଲୀ ୧୪/୧୨: କେରଳରୁ ଏକ ହୃଦୟବିଦାରକ ଘଟଣା ସାମନାକୁ ଆସିଛି । ନିଜ ଜନ୍ମ କଲା ଛୁଆକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ଜଣେ ମା’। ନିଜର ୨୭ ଦିନର ଜନ୍ମକଲା ଛୁଆକୁ କାନ୍ଥରେ ବାଡେଇ ହତ୍ୟା କରିଦେଇଛି । ସୋମବାର ଦିନ ଅଭିଯୁକ୍ତ ମାଆକୁ ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି । ଏହି ଘଟଣାଟି କେରଳର ପାଥନମଥିଟ୍ଟା ଅଞ୍ଚଳରେ ଘଟିଛି।

 ସୂଚନା ଅନୁଯାୟୀ ଜନ୍ମ ହେବା ଦିନ ଠାରୁ ଶିଶୁପୁତ୍ରଟି ଅସୁସ୍ଥ ରହିଥିଲା। ଏଥିପାଇଁ ସେ ନିୟମିତ କାନ୍ଦୁଥିଲା। ଆଉ ଛୁଆଟିର କାନ୍ଦରେ ଅତିଷ୍ଠ ହୋଇ ମାଆ ଏପରି କାଣ୍ଡ କରିଛି । ତେବେ ଏହି ଘଟଣା ଡିସେମ୍ବର ୯ ତାରିଖରେ ଘଟିଥିଲା । ସେହିଦିନ ପିଲାଟି ଖୁବ୍ ଜୋରରେ କାନ୍ଦିବାରୁ ମାଆ ପିଲାଟିର ମୁଣ୍ଡକୁ ଗୋଟିଏ କାନ୍ଥରେ ପିଟି ଦେଇଥିଲା । ଏହାପରେ ଛୁଆଟିର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା । ତାକୁ ଦିନ ପ୍ରାୟ ୧୧ଟା ବେଳେ ପାଥନମଥିଟ୍ଟାରେ ଥିବା ଗୋଟିଏ ହସ୍ପିଟାଲକୁ ନିଆଯାଇଥିଲା।

ଡାକ୍ତର ତା’ର ଚିକିତ୍ସା କରିବା ସହ ମେଡିସିନ ଦେଇ ଘରକୁ ପଠାଇ ଦେଇଥିଲେ। ତେବେ ସେହିଦିନ ଅପରାହ୍ନ ସମୟରେ ଶିଶୁପୁତ୍ରର ଅବସ୍ଥା ଗୁରୁତର ହୋଇଥିଲା। ଏଥିପାଇଁ ତାକୁ ତାଲୁକା ହସ୍ପିଟାଲକୁ ନିଆ ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି। ୧୦ ତାରିଖରେ ଶିଶୁଟିର ଶବକୁ ବ୍ୟବଚ୍ଛେଦ କରାଯାଇଥିଲା। ଏହି ସମୟରେ ମୁଣ୍ଡର ପଛ ପାଖରେ ଗଭୀର ଆଘାତ ଲାଗିବା ଯୋଗୁ ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ପୋଲିସ୍ କହିଛି ଯେ, ଛୁଆଟିର ମୃତ୍ୟୁ ପରେ ଗୋଟିଏ ଆଶ୍ରମ ଚଳାଉଥିବା ଫାଦର୍ ଯୋଶୀ ଥମସ୍ ଙ୍କ ବୟାନ ଆଧାରରେ  ଏହି ମାମଲା ରୁଜୁ ହୋଇଥିଲା । ଘଟଣା ପରେ ପୁଲିସ୍ ଶିଶୁପୁତ୍ରର ବାପାମା’ଙ୍କ ସହ କଥା ହୋଇଥିଲା। ଏହି ସମୟରେ ହତ୍ୟାକାରୀ ମା’ର ମାନସିକ ସ୍ଥିତି ଠିକ ନଥିବା ଜାଣିବାକୁ ପାଇଥିଲା। ତଥାପି ପୁଲିସ ହତ୍ୟାକାରୀ ମା’କୁ ଗିରଫ କରିଛି।

ତେବେ ଅଭିଯୁକ୍ତ ମହିଳା ଜଣକ ଏହି ଆଶ୍ରମର ରୋଷେଇ ଘରେ କାମ କରୁଥିଲା ଓ ସେ ନିଜର ୪୫ ବର୍ଷିୟ ପ୍ରେମିକ ସହିତ ରହୁଥିଲା । ଏଥିସହ ମହିଳା ଜଣକ କୋଟ୍ଟାୟମରେ ଥିବା ଗୋଟିଏ ଘରୋଇ ଇନିଷ୍ଟିଚ୍ୟୁଟରେ ପଢ଼ୁଥିଲା। ରୋଗଗ୍ରସ୍ତ ଶିଶୁପୁତ୍ର ତା’ ପାଠପଢ଼ାରେ ବାଧା ସୃଷ୍ଟି କରୁଥିବାରୁ ସେ ଏପରି କାଣ୍ତ ଘଟାଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।