You are currently viewing ଭାରିଯାନ ତାଲିମ ପ୍ରତିଷ୍ଠାନ ;  ନିଯୁକ୍ତିର ନୂଆ ସୁଯୋଗ

ଭାରିଯାନ ତାଲିମ ପ୍ରତିଷ୍ଠାନ ; ନିଯୁକ୍ତିର ନୂଆ ସୁଯୋଗ

ରାଜ୍ୟ ସରକାରଙ୍କ ଭାରିଯାନ ତାଲିମ ପ୍ରତିଷ୍ଠାନ ଏବେ ଯୁବପୀଢି ଲାଗି ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି କରିଛି । ଏହି ପ୍ରତିଷ୍ଠାନରୁ ଦକ୍ଷ ଗାଡିଚାଳକମାନଙ୍କୁ ନେବାପାଇଁ ପ୍ରାୟ ୨୬ଟି କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ରାଜ୍ୟରେ ଛତିଆ ଓ ବଣାଇ ଠାରେ ଥିବା ଦୁଇଟି ଭାରିଯାନ ତାଲିମ ପ୍ରତିଷ୍ଠାନରେ ଗାଡିଚାଳନା ତାଲିମ ଦିଆଯାଉଥିବାବେଳେ ଆଉ ତିନିଟି ତାଲିମ ପ୍ରତିଷ୍ଠାନରେ ଏହା ଆରମ୍ଭ ହେବ । ତେବେ ଏଠାରୁ ତାଲିମ ନେଇଥିବା ଗୋଟିଏ ବ୍ୟାଚ୍‍ ନିଯୁକ୍ତି ପାଇଥିବାବେଳେ ଆଉ ୨୬ କମ୍ପାନୀ ଏଠାକୁ ଦକ୍ଷ ଗାଡିଚାଳକଙ୍କୁ ନେବାପାଇଁ ସରକାରଙ୍କ ନିକଟରେ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି ।

ଗାଡିଚାଳକମାନଙ୍କୁ ନିଯୁକ୍ତି ଦେବାପାଇଁ ଆଗ୍ରହ ପ୍ରକାଶ କରିଥିବା କମ୍ପାନୀ ମଧ୍ୟରେ ବଡ ବଡ ପରିବହନ ସଂସ୍ଥା ଓ ଖଣି ସଂସ୍ଥା ଆଦି ରହିଛନ୍ତି । ସେମାନେ ବାହାରୁ ଗାଡିଚାଳକ ନେବା ପରିବର୍ତ୍ତେ ସରକାରୀ ସଂସ୍ଥାରୁ ତାଲିମପ୍ରାପ୍ତ ଦକ୍ଷ ଚାଳକଙ୍କୁ ନିଯୁକ୍ତି ଦେବାପାଇଁ ଆଗ୍ରହୀ । ଏଠାରେ ନିଯୁକ୍ତି ପାଉଥିବା ଯୁବକମାନେ ମାସକୁ ୧୭ ରୁ ୨୫ହଜାର ଟଙ୍କାର ଦରମା ସହିତ ଜିପିଏଫ୍‍, ଇପିଏଫ୍‍, ପରିବହନ, ଖାଇବା ଓ ରହିବା ଖର୍ଚ୍ଚ ଆଦି ପାଉଛନ୍ତି ।

ଏହି ଦୁଇଟି ତାଲିମ କେନ୍ଦ୍ରରେ ଡ୍ରାଇଭରମାନଙ୍କୁ ଗାଡି ଚାଳନା ସହିତ ଅନ୍ୟାନ୍ୟ ତାଲିମ ଦିଆଯାଉଛି । ସେଥି ମଧ୍ୟରେ ଗାଡି ଚାଳନା ସମୟରେ କିଭଳି ଇନ୍ଧନ ସଞ୍ଚୟ କରାଯାଇ ପାରିବ, ହଠାତ୍‍ ରାସ୍ତାରେ ଗାଡି ଖରାପ ହେଲେ ତାହାକୁ ଚାଳକମାନେ କିଭଳି ନିଜେ ମରାମତି କରିପାରିବେ, ଆସନ୍ନ ଦୁର୍ଘଟଣାକୁ ଏଡାଇ ପାରିବା ଆଦି ରହିଛି । ଏଥି ସହିତ ତାଲିମ ପ୍ରତିଷ୍ଠାନକୁ ଗୁଟ୍‍ଖା ମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିବାବେଳେ ଗାଡିଚାଳକମାନଙ୍କୁ ଯୋଗ ଓ ବ୍ୟାୟାମ ଆଦି ତାଲିମ ଦିଆଯାଉଛି । ଯାହା ଫଳରେ ସେମାନଙ୍କ ଏକାଗ୍ରତା ବୃଦ୍ଧି ପାଇବ ବୋଲି କୁହାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।