You are currently viewing ଦୁର୍ଦ୍ଦାନ୍ତ ପଡୋଶୀ, ୧୦ ବର୍ଷର ଶିଶୁକୁ କଲା ହତ୍ୟା

ଦୁର୍ଦ୍ଦାନ୍ତ ପଡୋଶୀ, ୧୦ ବର୍ଷର ଶିଶୁକୁ କଲା ହତ୍ୟା

କଳାହାଣ୍ଡି-୨୯.୦୭.୨୦୨୧, ରାଗ ବ୍ରହ୍ମ ଚଣ୍ଡାଳ । ସାମାନ୍ୟ କଳହରୁ କରୁଣ ପରିଣତି । ହିତାହିତ ଜ୍ଞାନ ଭୁଲି ମଦ୍ୟପ ପଡ଼ୋଶୀ ଏକ ୧୦ ବର୍ଷର ନାବାଳକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧୀନ ଥୁଆମୂଳ ଭଟାଗୁଡା ଗ୍ରାମରେ । ଅନ୍ୟପଟେ ମରଣାନ୍ତକ ଆକ୍ରମଣ ଯୋଗୁଁ ନାବାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ହେଲେ ଘାସିରାମ ମାଝୀଙ୍କ ୧୦ ବର୍ଷର ପୁଅ ଅନିଲ ମାଝି । ଅନ୍ୟପଟେ ଅନିଲକୁ ବଞ୍ଚାଇବାକୁ ଯାଇଥିବା ତାଙ୍କ ବଡ଼ ଭାଇ ଓ ଅନ୍ୟ ଜଣେ ବୃଦ୍ଧ ମଧ୍ୟ ଗୁରୁତର ହୋଇଛନ୍ତି ।
ସୂଚନା ଅନୁସାରେ ଭଟାଗୁଡା ଗ୍ରାମର ଜୟସିଂ ଜାନୀ ହେଉଛନ୍ତି ଘାସିରାମଙ୍କ ପଡ଼ୋଶୀ । ସେମାନଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା । ଗତ ବୁଧବାର ପୁଣି ଥରେ ଉଭୟ ପରିବାର ମଧ୍ୟରେ କଳହ ହୋଇଥିଲା । ଏହା ଉଗ୍ର ରୂପ ଧାରଣ କରିବାରୁ ନିଶାସକ୍ତ ଅବସ୍ଥାରେ ଥିବା ଜୟସିଂ ହାତରେ ଟାଙ୍ଗିଆ ଧରି ଘାସିରାମଙ୍କ ପୁଅ ଅନିଲକୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଅପରପକ୍ଷେ ଅନିଲଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ବଡ଼ ଭାଇ ଦେବାନନ୍ଦ ଚେଷ୍ଟା କରିବାରୁ ଜୟସିଂ ତାଙ୍କୁ ଧନୁତୀରରେ ଆକ୍ରମଣ କରିଥିଲେ । ତେବେ ଦେବାନନ୍ଦ ଏବେ ଥୁଆମୁଳ ରାମପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏହା ସହ ଏହି ସମୟରେ ଜୟସିଂଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିବା ଗ୍ରାମର ବୃଦ୍ଧ ତାମା ଜାନୀଙ୍କୁ ମଧ୍ୟ ଆକ୍ରମଣର ଶିକାର ହେବାକୁ ପଡିଛି । ଏଥି ଯୋଗୁଁ ସେ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଅଭିଯୋଗ ଆସିଛି । ଅଭିଯୋଗ ପରେ ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା ସହ ତଦନ୍ତ ଜାରି ରଖିଛନ୍ତି । ଆଜି ଭବାନୀପାଟଣାରୁ ସାଇଣ୍ଟିଫିକ୍‌ ଟିମ୍ ଭଟାଗୁଡା ଗ୍ରାମରେ ପହଞ୍ଚି ଘଟଣା ସ୍ଥଳରେ ତଦନ୍ତ କରୁଥିବା ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।