You are currently viewing ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ କରିବ ଗୁଲାବ, ବେଶି ପ୍ରଭାବିତ ହେବ ଗଞ୍ଜାମ ଓ ଗଜପତି

ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ କରିବ ଗୁଲାବ, ବେଶି ପ୍ରଭାବିତ ହେବ ଗଞ୍ଜାମ ଓ ଗଜପତି

ଭୁବନେଶ୍ୱର-୨୬.୦୯.୨୦୨୧, ବଙ୍ଗୋପସାଗର ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରକ ଝଡ଼ ‘ଗୁଲାବ’। ୮ଟା ୩୦ ସୁଦ୍ଧା ଗୋପାଳପୁର ଠାରୁ ୧୮୦ କି.ମି ଦୂରରେ ରହିଥିଲା ବାତ୍ୟା। ଏବେ ଆନ୍ଧ୍ର କଳିଙ୍ଗପଟ୍ଟନମ ଠାରୁ ୨୮୦ କି.ମି ଦୂରରେ ବାତ୍ୟା । ଗତ ୬ ଘଣ୍ଟାରେ ଏହାର ବେଗ ଘଣ୍ଟାପ୍ରତି ୧୭ କିଲୋମିଟର ରହିଛି। ତେବେ ମଧ୍ୟରାତ୍ରୀ ସୁଦ୍ଧା ଗୋପାଳପୁର ଓ କଳିଙ୍ଗପଟ୍ଟନମ୍ ମଝିରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ ରୁ ୮୫ କି.ମି ରହିବ। ପ୍ରାୟ ରାତି ୯ଟା ପରେ ସାମୁଦ୍ରକ ଝଡ ଗୁଲାବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ରହିବ। ବାତ୍ୟା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ବାତ୍ୟା ‘ଗୁଲାବ’ ପାଇଁ କାଲି ପର୍ଯ୍ୟନ୍ତ ରାଜ୍ୟର ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ଅତିପ୍ରବଳ ବର୍ଷା ଓ ପବନ ଆଶଙ୍କାରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଗଜପତି ଜିଲ୍ଲାର ୧୬୦୦ ଲୋକ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ କରାଯାଇଛି । ୭ଟି ବ୍ଲକ ପାଇଁ ୭ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି । ସେହିପରି ୫୫ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି । ଗଜପତି ଜିଲ୍ଲାରେ ୬ଟି ଓଡ୍ରାଫ ଓ ୨ଟି NDRF ଟିମ୍‌ ମୁତୟନ କରାଯାଇଛି ।
ଅନ୍ୟପଟେ ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ୫ଟି ଓଡ୍ରାଫ ଟିମ ଓ ୧ NDRF ଟିମ୍ ନିୟୋଜିତ କରାଯାଇଛି । ଆସିକା, ପୁରୁଷୋତ୍ତମପୁର, ଗୋପାଳପୁର, ପାତ୍ରପୁର ଓ ବ୍ରହ୍ମପୁରରେ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ୍‌ ରହିବ। ୨୨ ଜଣିଆ NDRF ଟିମ୍‌ ଆସିକାରେ ରହିବ। ୬୦ ହଜାରରୁ ଅଧିକ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।