nomination

ସମର୍ଥକଙ୍କ ସହ ବିଶାଳ ରାଲିରେ ଆସି ନାମାଙ୍କନ ଭରିଲେ ନେତା, ଜାଣନ୍ତୁ କିଏ କିଏ ଭରିଲେ ନାମାଙ୍କନ?

ଏଏନଏସ: ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ଭରିଛନ୍ତି ନେତା । ନିଜର ସମର୍ଥକଙ୍କୁ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ପୂର୍ବ ଓଡିଶାରୁ ପଶ୍ଚିମ ଓଡିଶା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରାର୍ଥୀ  ଆଜି ନାମାଙ୍କନ ଦାଖଲ କରିଛନ୍ତି।

ସୂଚନାଯୋଗ୍ୟ ପୁରୀ ସଂସଦୀୟ କ୍ଷେତ୍ରର ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ପିପିଲ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ବିଶାଳ ରାଲି କରି ନାମାଙ୍କନ ଦାଖଲ କରିଛନ୍ତି । ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ପୁରୀ ଜିଲ୍ଳାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଓ ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଉପ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେହିପରି ପୁରୀ ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି ନିଜ ସମର୍ଥକଙ୍କ ସହ  ବିଶାଳ ଶୋଭାଯାତ୍ରାରେ ବାହାରି ନାମାଙ୍କନ ଭରିଛନ୍ତି । ସତ୍ୟବାଦୀ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତିି । ଏଥିସହ ସ୍ୱାଧୀନ ପ୍ରାର୍ଥୀ ହରେକୃଷ୍ଣ ସିଂହାରୀ ମଧ୍ୟ ନାମାଙ୍କନ ଭରିଛନ୍ତି ।

ସେପଟେ ନାମାଙ୍କନ ପୂର୍ବରୁ ରାଉରକେଲାରେ ଦମ୍ ଦେଖାଇଛନ୍ତି ରାଉରକେଲାର ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ । ବହୁ ସଂଖ୍ୟା ସମର୍ଥକଙ୍କୁ ସାଙ୍ଗରେ ନେଇ ଶୋଭାଯାତ୍ରା କରିବା ସହ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରଘୁନାଥପଲ୍ଳୀ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀ, ବୀରମିତ୍ରପୁର ବିଜେପି ବିଧାୟକ ପ୍ରାର୍ଥୀ ଶଙ୍କର ଓରାମ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ବିଶାଳ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ହୋଇଥିବା ସଂଗୀତା ସିଂଦେଓ । ବିଜେପି ବିଧାୟକ ପ୍ରାର୍ଥୀ, ମୁକେଶ ମହାଲିଙ୍ଗ, ନବୀନ ଜୈନ, ଗୋପାଳଜୀ ପାଣିଗ୍ରାହୀ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବ୍ରଜରାଜନଗର କଂଗ୍ରେସ ବିଧାୟକ ପ୍ରାର୍ଥୀ କିଶୋର ପଟେଲ ମଧ୍ୟ ବିଶାଳ ରାଲିରେ ଆସି ଝାରସୁଗୁଡା ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ।

ଅନ୍ୟପଟେ କନ୍ଧମାଳ ଲୋକସଭା ଆସନରେ ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ନାମାଙ୍କନ ଭରିଛନ୍ତି । ସେହିପରି ଆଠଗଡ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସୂଚନାଯୋଗ୍ୟ ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଚାଲିବ। ମେ ୭ରେ ଯାଞ୍ଚ ଓ ମେ ୯ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।