You are currently viewing ଟୋକିଓ ପାରା ଅଲିମ୍ପିକ୍ସରେ ଚମକିବେ ଓଡ଼ିଆ ପୁଅ ପ୍ରମୋଦ

ଟୋକିଓ ପାରା ଅଲିମ୍ପିକ୍ସରେ ଚମକିବେ ଓଡ଼ିଆ ପୁଅ ପ୍ରମୋଦ

ନୂଆଦିଲ୍ଲୀ-୧୪.୦୮.୨୦୨୧, ଅଗଷ୍ଟ ୨୪ରୁ ଆରମ୍ଭ ହେବ ପାରା ଅଲିମ୍ପିକ୍ସ । ଭାରତର ପାରାଅଲିମ୍ପିକ୍ସ ଦଳରେ ରହିଛନ୍ତି ୫୪ ଜଣ ସଦସ୍ୟ । ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଚାଲିବ ପାରାଲିମ୍ପିକ ଗେମ୍ସ। ନଅଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ ୫୪ ଜଣ ସଦସ୍ୟ । ଚଳିତ ବର୍ଷ ଅଲିମ୍ପିକ୍ସରେ ଭାରତୀୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିବା ପରେ ଏବେ ପାରାଅଲିମ୍ପିକ୍ସ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଛି ।

ତେବେ ଏହି ଦଳରେ ସାମିଲ ରହିଛନ୍ତି ଓଡ଼ିଆ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ। ଥରେ କିମ୍ବା ଦୁଇ ଥର ନୁହେଁ ତିନି ତିନିଥର ମେଡାଲ ଜିତି ବିଶ୍ଵ ଦରବାରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ପ୍ରମୋଦ । କୁହାଯାଏ ଯେ, ଆତ୍ମ ବିଶ୍ଵାସ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନିଥାଏ । ଏହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ଓଡ଼ିଆ ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ।

ଓଡ଼ିଶାର ବରଗଡ଼ ଜିଲ୍ଲା ଅତାବିରାରେ ୧୯୮୮ ମସିହା ଜୁନ୍ ୪ରେ ପ୍ରମୋଦ ଭଗତ ଜନ୍ମ ଗ୍ରହଣ କରିଥିଲେ । ବାପା କୈଳାଶ ଭଗତ ଓ ମା’ ହେଉଛନ୍ତି କୁସୁମ ଦେବୀ ।
ପ୍ରମୋଦ ଛଅ ବର୍ଷ ବୟସରୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ। ଫଳରେ ସେ ଅନ୍ୟ ପିଲାଙ୍କ ତୁଳନାରେ ଟିକେ ଦୁର୍ବଳ ଥିଲେ । କିନ୍ତୁ ସେ ତାକୁ ନିଜର ଦୁର୍ବଳତା ଭାବି ଅଟକିନଥିଲେ । ୧୪ ବର୍ଷ ବୟସରୁ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ ପ୍ରମୋଦ । ସଫଳତା ପାଇବା ପାଇଁ ପ୍ରମୋଦଙ୍କୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଅନେକ ପରିଶ୍ରମ କରିବାକୁ ପଡ଼ିଛି ।

ବିଶ୍ଵ ପାରା ବ୍ୟାଡମିଣ୍ଟନ ମାନ୍ୟତାର ନମ୍ବର ଓ୍ଵାନ ଖେଳାଳି ହେଉଛନ୍ତି ପ୍ରମୋଦ। ସେ ଦିବ୍ୟାଙ୍ଗ କ୍ରୀଡ଼ାବିତ୍ ଭାବରେ ପ୍ରଥମ ଅର୍ଜୁନ ପୁରସ୍କାର ପାଇଥିବା ଓଡ଼ିଆ ଖେଳାଳି । ତେବେ ପ୍ରମୋଦଙ୍କୁ ମିଶାଇ ରାଜ୍ୟର ୮ଜଣ କ୍ରୀଡ଼ାବିତ୍ ଏହି ପୁରସ୍କାର ପାଇସାରିଛନ୍ତି। ଜାତୀୟ ସ୍ତରରେ ୩୦ଟି ସ୍ୱର୍ଣ୍ଣ ୧୪ଟି ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ହାସଲ କରିଛନ୍ତି। ଏଥିସହ ୨୦୧୯ ଅଗଷ୍ଟ ମାସ ସୁଧା ସେ ଅନ୍ତର୍ଜାତୀୟ ସ୍ତରରେ ୧୮ଟି ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୧୩ କାଂସ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ଏବେ ତାଙ୍କର ପରିଚୟ ଖାଲି ଓଡ଼ିଆ ପୁଅ ନୁହେଁ ବରଂ ସେ ହେଉଛନ୍ତି ବିଶ୍ଵ ଚାମ୍ପିଅନ ପ୍ରମୋଦ ଭଗତ।

ଅନ୍ୟମାନଙ୍କୁ ଜଣାନ୍ତୁ।