You are currently viewing ବିନା ଭକ୍ତରେ ଆଜିଠୁ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ

ବିନା ଭକ୍ତରେ ଆଜିଠୁ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ

  • Post category:ଓଡିଶା
  • Reading time:1 mins read

ଢେଙ୍କାନାଳ (ଏଏନଏସ)୧୫/୦୨: ଆଜିଠୁ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ମାଘ ମେଳା ତଥା ଯୋରନ୍ଦା ଯାତ୍ରା । ଦୁଇଦିନ ଧରି ଚାଲିବାକୁ ଥିବା ଯୋରନ୍ଦା ମେଳା ପାଇଁ ଚଳଚଞ୍ଚଳ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ମହିମାଗାଦି । ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମାଗାଦିର ମହିମା ସାଧୁ ମାନେ ଚଳିତ ବର୍ଷ ୧୪୯ତମ ବାର୍ଷିକ ଉତ୍ସବ ପାଳୁଛନ୍ତି । ମାତ୍ର କୋଭିଡ଼ ସଂକ୍ରମଣକୁ ଆଶଙ୍କା କରି ଚଳିତ ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ମେଳା ଉପରେ କଟକଣା ଜାରିକରାଯାଇଛି।

କୋଭିଡ୍ କଟକଣା ଲାଗୁ ହୋଇଥବାରୁ କେବଳ ମହିମା ସାଧୁସନ୍ଥ ଓ ମହିମା ଧର୍ମାବଲମ୍ବୀଙ୍କୁ ମନ୍ଦିର ଅନୁପ୍ରବେଶ ଲାଗି ଅନୁମତି ରହିଛି । ୨ଟି ଡୋଜ୍ ନେଇଥିବା ପ୍ରମାଣ ବାଧ୍ୟତାମୂଳକ କରାଯାଇଛି । ଟିକା ନେଇନଥିବା ଭକ୍ତ ବା ବାବାଙ୍କ ଲାଗି ସ୍ବତନ୍ତ୍ର କୋଭିଡ୍ ସେଣ୍ଟର ବ୍ୟବସ୍ଥା କରାଯାଇଛି । କୌଣସି ବାହାର ଅଞ୍ଚଳର ଉଠା ଦୋକାନୀ ତଥା ବ୍ୟବସାୟୀଙ୍କୁ ବାରଣ ରହିଛି । ଶାନ୍ତିଶୃଙ୍ଖଳା ଲାଗି ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ୩ ଦିନ ପର୍ଯ୍ୟନ୍ତ ଯୋରନ୍ଦା ମେଳା ଚାଲିବା ଲାଗି ପ୍ରଶାସନ ଅନୁମତି ରହିଛି । ସେହିପରି ଏହି ମେଳାରେ ସଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି ।

ଖବର ଅନୁଯାୟୀ, ମହିମା ଧର୍ମର ସନ୍ୟାସୀ ମାନଙ୍କ ତ୍ରିସନ୍ଧ୍ୟା ଶରଣ ଦର୍ଶନ ପରମ୍ପରା ମୁତାବକ ଆଜି ପ୍ରାତଃ ୪ଟାରୁ ମହିମା ସନ୍ୟାସୀ ମାନେ ନୀତିକାନ୍ତି ଆରମ୍ଭ କରିଦେଇଛନ୍ତି । ମୁଖ୍ୟ ଗାଦିମନ୍ଦିରରେ ଶିଦ୍ଧ ବକଳ ଧାରୀ ମହିମା ସନ୍ୟାସୀ ମାନେ ରୁପା ଗରାରେ ଜଳ ଛିଞ୍ଚନ ପରେ କର୍ପୂର ଅଗୁର ପ୍ରଭୁତି ମିଶାଇ ଛେରା ପହଁରା କରିଛନ୍ତି । ପରେ ସୁନା ଚାମର ବ୍ୟଜନ କରି ମହିମା ଗୋସାଇଁ ଙ୍କ ବାଲ୍ୟ ଲୀଳା ନୀତି କାନ୍ତି କରି ସାରିଛନ୍ତି । ସେହିପରି ମେଳାର ପରମ୍ପରା ମୁତାବକ ମୁଖ୍ୟ ଗାଦି ମନ୍ଦିର ଦ୍ୱିତୀୟ ବେଢାରେ ଅଖଣ୍ଡ ଧ୍ୱନି ସ୍ଥାପନ କରି ମହିମା ସାଧୁ ମନେ ଜଗତର କଲ୍ୟାଣ ପାଇଁ ଘୃତହୁତି କରୁଛନ୍ତି । ମଧ୍ୟାହ୍ନ ୧୨ଟା ୩୦ରେ ମଧ୍ୟନ୍ନ ନୀତି କରାଯିବ । ପରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ନୀତି ଆରମ୍ଭ ହୋଇ ୫ଟା ୧୫ସୁଦ୍ଧା ଶେଷ କରାଯିବ । ଆଉ ଠିକ ସେହି ସମୟରେ ସାରା ବିଶ୍ବରୁ ଅଜ୍ଞାନ ଅନ୍ଧକାର ଦୂର କରିବା ଓ ଜଗତ ଭଗତର କଲ୍ୟାଣ ଉଦ୍ଦେଶ୍ୟରେ ଗାଦି ମନ୍ଦିର ଚାରି ଦ୍ୱାରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ଝାଡ଼ବତୀ ପ୍ରଜ୍ବଳନ କରାଯିବାର କାର୍ଯ୍ୟକ୍ରମ ନିର୍ଘଣ୍ଟ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।