You are currently viewing ୪ ସରକାରୀ ଅଧିକାରୀଙ୍କୁ ଚାକିରିରୁ ବିଦା କଲେ ରାଜ୍ୟ ସରକାର

୪ ସରକାରୀ ଅଧିକାରୀଙ୍କୁ ଚାକିରିରୁ ବିଦା କଲେ ରାଜ୍ୟ ସରକାର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୦୨/୧୨:  ଦୁର୍ନୀତି ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ୩ ଜଣ ନିର୍ବାହୀ  ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ବେଳେ, ଜଣେ ଆରଆଇଙ୍କୁ ଚାକିରିରୁ  ବହିଷ୍କାର କରିଛନ୍ତି। ସମ୍ବଲପୁର ପୌର ନିଗମ କମ୍ୟୁନିଟି ଅର୍ଗାନାଇଜର ଲଳିତା କପୁରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ତାଙ୍କ ନାମରେ ସରକାରୀ ଅର୍ଥ ଆତ୍ମସାତ କରିବା ସହିତ ଆହୁରି ଅନେକ ଦୁର୍ନୀତି ଅଭିଯୋଗ ତାଙ୍କ ନାମରେ ରହିଛି।

ସେହିପରି ବେଲପାହାଡ଼ ପୌର ନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀଙ୍କୁ ଅପାରଗତା ଓ ଅସାଧୁତା ଯୋଗୁଁ  ବାଧ୍ୟତାମୂଳକ ଅବସର ଦିଆଯାଇଛି । ଝାରସୁଗୁଡ଼ା ମୁନସିପାଲଟିର ପୂର୍ବତନ କାର୍ୟ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନଙ୍କୁ ଅପାରଗତା, ଅସାଧୁତା ଓ ଆର୍ଥିକ ଅନିୟମିତତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ପୁରୀ ଜିଲ୍ଲା ବେତାଲ ଆରଆଇ ମନୋଜ ପରିଡ଼ାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

ଏହା ସହିତ ୨ ଜଣ ପୂର୍ବତନ ଅଧିକାରୀଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ କରିଛନ୍ତି । ବଲାଙ୍ଗିରର ପୂର୍ବତନ ଅତିରିକ୍ତ ଏସପି ଶ୍ରୀକାନ୍ତ ମିଶ୍ରଙ୍କ ପେନସନ୍ ବନ୍ଦ କରିଦିଆଯାଇଛି । ଗଞ୍ଜାମ ବେଲଗୁଣ୍ଠା ବ୍ଲକର ପୂର୍ବତନ ଏଏଫଓ ଉଦୟନାଥଙ୍କ ପେନସନକୁ ବି ବନ୍ଦ କରିଦିଆଯାଇଛି । ସେମାନଙ୍କ ନାମରେ ଥିବା ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ଯୋଗୁ ଏହି ପଦକ୍ଷେପ ନିଆଯାଇଛି। ଦୁର୍ନୀତିଗ୍ରସ୍ତ ଓ ଅପରାଗଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଜାରି ରହିଛି । ଏଯାଏଁ ରାଜ୍ୟରେ ୧୪୦ ଅଧିକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହେଲାଣି ।

ଅନ୍ୟମାନଙ୍କୁ ଜଣାନ୍ତୁ।