ଗୋଟେ ସମୟର କଥା ଜଣେ ବ୍ରାହ୍ମଣ ଓ ତାଙ୍କ ସ୍ତ୍ରୀ ଥିଲେ। ସେମାନେ ପ୍ରଭୁ ହନୁମାନଙ୍କର ବହୁତ ବଡ ଭକ୍ତ ଥିଲେ । ତାଙ୍କର ସନ୍ତାନ ନଥିବା ହେତୁ ସେମାନେ ସବୁବେଳେ ବହୁତ ଦୁଃଖରେ ରହୁଥିଲେ । ଭଗବାନଙ୍କୁ ନିକଟରେ ଯେତେଥର ହାତ ଯୋଡନ୍ତି ସବୁବେଳେ ସନ୍ତାନଟିଏ ପାଇଁ ବିନତୀ କରନ୍ତି । ସର୍ବଦା ପତି-ପତ୍ନୀ ଦୁଇ ଜଣ ଭଗବାନଙ୍କ ନିକଟରେ ନିଜକୁ ସମର୍ପି ଦିଅନ୍ତି। ଏଥିସହ ଭଗବାନ ହନୁମାନଙ୍କ ଆଶୀର୍ବାଦ ପାଇଁ ମଙ୍ଗଳବାର ଦିନ ହନୁମାନଙ୍କ ବ୍ରତ ମଧ୍ୟ କରୁଥିଲେ। ଏପରି କେତେ ଦିନ ଗଲାପରେ ଥରେ ଦିନେ ମଙ୍ଗଳବାର ଦିନ ପ୍ରସାଦର ବ୍ୟବସ୍ଥା ହୋଇପାରିଲା ନାହିଁ ।ଏହାଦେଖି ବ୍ରାହ୍ମଣୀ ବହୁତ ମନଦୁଃଖ କଲେ । ସେ ପଣ କଲେକି ପୁରା ସପ୍ତାହ ସେମତି ଉପାସ ରହିବେ । ପରେ ପୁରା ସପ୍ତାହଟା ଏପରି ନଖାଇ ରହିବା ଦ୍ୱାରା ବ୍ରାହ୍ମଣୀ ସ୍ତ୍ରୀ ବହୁତ କମଜୋର ହୋଇଗଲେ । ଏହାଦେଖି ସ୍ୱୟଂ ଭଗବାନ ହନୁମାନ ବ୍ରାହ୍ମଣୀ ସ୍ତ୍ରୀର ଏପରି ତ୍ୟାଗ ଦେଖି ଆଉ ସହିପାରିଲେ ନାହିଁ। ପରେ ଭଗବାନ ନିଜେ ଜଣେ ବାଳକ ରୂପରେ ଆସି ବ୍ରାହ୍ମଣୀକୁ ଦର୍ଶନ ଦେଲେ । ବ୍ରାହ୍ମଣୀ ମଧ୍ୟ ବାଳକଙ୍କ ଚରଣ ତଳେ ପଡିଗଲେ।
କାରଣ ବାଳକ ଜଣଙ୍କ ସ୍ୱୟଂଭଗବାନ ବୋଲି ସେ ଜାଣିପାରିଥିଲେ । ଏହାଦେଖି ଭଗବାନ ତାଙ୍କୁ ଆଶୀଷ ରୂପରେ ଏକ ପୁତ୍ର ସନ୍ତାନ ଦେଲେ, ଯାହାର ନାଁ ବ୍ରାହ୍ମଣୀ ଜଣକ ମଙ୍ଗଳ ରଖିଲେ । ଏହାପରେ ଭଗବାନ ସେଠାରୁ ଅଦୃଶ୍ୟ ହୋଇଗଲେ । ସଂଧ୍ୟାରେ ବ୍ରାହ୍ମଣ ଆସି ଦେଖିଲା ତାଙ୍କ ଘର ଅଗଣାରେ ଏକ ବାଳକ ଖେଳୁଛି । ବ୍ରାହ୍ମଣୀ ମହିଳା ନିଜ ସ୍ୱାମୀଙ୍କୁ ସବୁ କଥା ଜଣାଇଲେ । କିନ୍ତୁ ଏସବୁ କଥାରେ ତାଙ୍କ ସ୍ୱାମୀଙ୍କର ଭରସା ହେଲାନାହିଁ ।ସେ ବାଳକକୁ ଘୃଣା କରିବାକୁ ଲାଗିଲେ ଏବଂ ମନେମନେ ତାକୁ ମାରି ଦେବାପାଇଁ ମଧ୍ୟସ୍ଥିର କଲେ ।
ଦିନେ ବାଳକଟି କୁଅରୁ ପାଣି କାଢିବା ପାଇଁ ଗଲାବେଳେ ବ୍ରାହ୍ମଣ ତା ପଛେପଛେ ଯାଇ ତାକୁ ଧକ୍କ ଦେବା ଫଳରେ ପିଲାଟି କୂଅରେ ପଡିଗଲା । ପରେ ବ୍ରାହ୍ମଣ ଘରକୁ ଆସିଲା କିନ୍ତୁ ନଜକୁ ସେ ଘୃଣା କରିବାକୁ ଲାଗିଲେ । ତାଙ୍କୁ ଲାଗିଲାକି ସେ ପିଲାଟିକୁ ମରଣ ମୁହଁରେ ଛାଡି ଆସିଲେ । ତାଙ୍କ ଦ୍ୱାରା ଏତେବଡ ଭୁଲ ହୋଇଯାଇଥିବା ଅନୁଭବ କରି ନିଜ ସ୍ତ୍ରୀ ଙ୍କ ସାମ୍ନାକୁ ମଧ୍ୟ ଆସିପାରିଲେ ନାହିଁ । ଫଳରେ ଘର ଛାଡିବା ପାଇଁ ନିଷ୍ପତି ନେଲେ । ସେତେବେଳେ ହଠାତ ବାଳକ ମଙ୍ଗଳ ତାଙ୍କ ସାମ୍ନାକୁ ଆସିଯିବାରୁ ବ୍ରାହ୍ମଣକୁ ନିଜ ଆଖି ଉପରେ ବିଶ୍ୱାସ ହେଲା ନାହିଁ । ରାତ୍ରିରେ ହନୁମାନ ବ୍ରାହ୍ମଣର ସ୍ୱପ୍ନରେ ଆସି ଦର୍ଶନ ଦେଲେ ଏବଂ ନିଜ ଧର୍ମ ପତ୍ନୀଙ୍କ ସମସ୍ତ କଥାରେ ବିଶ୍ୱାସ କରିବା ପାଇଁ କହିଲେ । ଏହାପରେ ବ୍ରାହ୍ମଣ ନିଜ ଭୁଲ ପାଇଁ ଅନୁତାପ କଲେ ଓ ସ୍ତ୍ରୀ ପୁତ୍ରକୁ ନେଇ ସୁଖରେ ସଂସାର କଲେ ।