ଜିଲ୍ଲାରେ କରୋନା ପରିସ୍ଥିତି ଓ ଗୃହ ସଙ୍ଗରୋଧ ସମୀକ୍ଷା ଅନୁଷ୍ଠିତ

ପୁରୀ- ୨୦.୦୪.୨୦୨୧(ଅନନ୍ତ ସିଂ), ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଜିଲ୍ଲାରେ କରୋନା ପରିସ୍ଥିତି ଓ ଗୃହ ସଙ୍ଗରୋଧ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସ୍ଥାନୀୟ ନିଳାଦ୍ରୀ ବେଳାଭୂମିରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପୌରାଞ୍ଚଳରେ ଗୃହ ସଙ୍ଗରୋଧରେ ଥିବା କୋଭିଡ ରୋଗୀଙ୍କୁ ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଗୃହ ସଙ୍ଗରୋଧ ଉପରେ ପ୍ରଧାନ୍ୟ ଦିଆଯାଇଛି । କରୋନା ରୋଗୀ ଚିହ୍ନଟ ପରେ ରାପିଡ ରେସପନ୍ସ ଟିମ ସଂପୃକ୍ତ ରୋଗୀଙ୍କ ଘରକୁ ଯାଇ ସ୍ବାସ୍ଥାବସ୍ଥା ଯାଞ୍ଚ କରିବା ସହ ସ୍ବାସ୍ଥ୍ୟ କିଟ ପ୍ରଦାନ କରିବେ । ପ୍ରତିଦିନ ଜଣେ ସ୍ବାସ୍ଥ୍ୟକର୍ମୀ ରୋଗୀଙ୍କ ଘରକୁ ଯାଇ ତଥ୍ୟ ରଖିବେ । ଆବଶ୍ୟକ ବେଳେ ଯୋଗାଯୋଗ ପାଇଁ ରୋଗୀ ମାନଙ୍କୁ ରାପିଡ ରେସପନ୍ସ ଟିମର ଟେଲିଫୋନ ନମ୍ବର ଦିଆଯିବ । ପୌରାଞ୍ଚଳରେ ଥିବା ସମସ୍ତ ୪ଟି ଯାକ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ୧୩ଟି ରାପିଡ ରେସପନ୍ସ ଟିମ ଗଠନ କରାଯାଇଛି । ଏହିଟିମରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ସାମିଲ ହେବା ସହ ଆବଶ୍ୟକୀୟ ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇ ରହିଛି । ଏହି ଟିମ୍ ଗୃହ ସଙ୍ଗରୋଧରେ ଥିବା କରୋନା ଆକ୍ରାନ୍ତ ମାନଙ୍କୁ ଆବଶ୍ୟକ ବେଳେ ଅଧିକ ଚିକିତ୍ସା ପାଇଁ ସ୍ଥାନୀୟ ଆଇଡିଏଚରେ ଥିବା କୋଭିଡ ଚିକିତ୍ସାଳୟରେ ଭର୍ତ୍ତି କରିବା ବ୍ୟବସ୍ଥା କରିବେ । କରୋନା ମୁକାବିଲା ନିମନ୍ତେ ଜିଲ୍ଲାରେ ନୂତନ ଭାବେ ୨୮ ଜଣ ଆୟୁଷ ଡାକ୍ତର ଯୋଗ ଦେଇଛନ୍ତି । ଏଥିସହ ବ୍ରହ୍ମଗିରିର ମୋଟ ଠାରେ ୧୦୦, ନିମାପଡାରେ ୭୨, କୋଣାର୍କରେ ୮୦ ଏବଂ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ୬୦ ଜଣଙ୍କ ନିମନ୍ତେ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ରହିଛି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ,ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ସୁଦର୍ଶନ ବେହେରା, ଡିପିଏଚଓ ଡଃ ବିରଜା ଶଙ୍କର ରଥ, ଏଡିପିଏଚଓ ଡଃ ନିମାଇଁ ଚରଣ ଜେନା, ପୌର ସ୍ବାସ୍ଥ୍ୟ ଅଧିକାରୀ ଡଃ ଅଶୋକ ସିଠ, ଆଶା ସଂଯୋଜକ ଶ୍ରୀ ଅଶୋକ ସାହୁ, ଡିପିଏମ ଟି. ନାରାୟଣ ରାଓ, ଏପିଏମ୍ ଶ୍ରୀ ସନ୍ତୋଷ କୁମାର ମିଶ୍ର, ସହରାଞ୍ଚଳର ଆଶା, ଏଏନଏମ୍, ସ୍ବାସ୍ଥ୍ୟ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.