Shri-MandirParikrama

ଆଜିଠାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମହୋତ୍ସବ ଆରମ୍ଭ, ବ୍ରାହ୍ମଣ ବରଣ କରିବେ ଗଜପତି  

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ): ପାଖେଇ ଆସୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏନେଇ ଚଳଞ୍ଚଳ ଶ୍ରୀକ୍ଷେତ୍ର । ଏନେଇ ଆଜିଠାରୁ ଲୋକାର୍ପଣ ମହୋତ୍ସବ ଆରମ୍ଭ ହେବ । ଏହାପରେ ଆଗାମୀ ୧୭ ତାରିଖ ପୌଷ ଶୁକ୍ଲ ସପ୍ତମୀରେ ୧ଟାରୁ ୧.୩୦ ମିନିଟ୍ ମଧ୍ଯରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଅପରାହ୍ନ ୨ଟାରେ ଗଜପତି ଦିବ୍ୟସିଂହ ଦେବ ଯଜ୍ଞରେ ପୂର୍ଣ୍ଣାହୂତି ପ୍ରଦାନ କରିବେ ।

ଖବର ଅନୁଯାୟୀ ପରିକ୍ରମା ପ୍ରକଳ୍ପ ଉତ୍ସବ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ଅପରାହ୍ନରେ ପ୍ରଥମେ ଗଜପତି ମହାରାଜା ବ୍ରାହ୍ମଣ ବରଣ କରିବେ ଓ ଗୁଆଟେକା ନୀତି ସମାପନ ହେବ। ଏହାପରେ ବ୍ରାହ୍ମଣମାନେ ଅଙ୍କୁରାରୋପଣ ନୀତି ଯଜ୍ଞ ମଣ୍ତପ ନିକଟରେ ଶେଷ କରିବେ । ୧୩ରେ ଅଧିବାସ ଓ ୧୪ରେ ଅଙ୍କୁରାରୋପଣ କାର୍ଯ୍ୟ ସମାପ୍ତ ହେବ । ୧୫ ତାରିଖ ସକାଳ ସାଢେ ୭ଟା ସୁଦ୍ଧା ଅଖଣ୍ତଦୀପ ସ୍ଥାପନ ସହ ଯଜ୍ଞ ଆରମ୍ଭ ହେବ । ସେହିପରି ୧୬ରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ବାସ୍ତୁଶୋଧନ ସହ ଅଧିବାସ ଅନୁଷ୍ଠିତ ହେବ । ଶେଷରେ ୧୭ ତାରିଖ ଦିନ ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ପ୍ରାୟ ୧.୩୦ ମଧ୍ଯରେ ଲୋକାର୍ପଣ କରିବେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗଜପତି ମହାରାଜ ଯଜ୍ଞର ପୂର୍ଣ୍ଣାହୂତି ପ୍ରଦାନ କରିବେ । ଏହାଶେଷ ହେବା ପରେ ଅପରାହ୍ନ ୨ଟାରୁ ସାଢେ ୨ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିବେ । ଏହାପରେ ସାଢେ ୨ଟାରୁ ୩ଟା ଭିତରେ ଉତ୍ତରପାର୍ଶ୍ବ ମଠ ନିକଟରେ ହୋଇଥିବା ସଭାମଞ୍ଚରେ ଏକ ଭିଡ଼ିଓ ଚିତ୍ରକୁ ଉନ୍ମୋଚନ କରିବେ । ଏଥିରେ ପରିକ୍ରମା ପ୍ରକଳ୍ପର ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ସମସ୍ତ କଥାବସ୍ତୁ ପ୍ରଦର୍ଶିତ ହେବ । ଏହାପରେ ଦିନ ୩ଟାରେ ପରିକ୍ରମା ମାର୍ଗରେ ଜନସାଧାରଣ ପ୍ରଦକ୍ଷିଣ କରିପାରିବେ । 

ଅନ୍ୟମାନଙ୍କୁ ଜଣାନ୍ତୁ।