Srimandir

ପରିକ୍ରମା ପ୍ରକଳ୍ପ ନେଇ ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ): ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ଯକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟର ଅଗ୍ରଗତି ଓ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ନେଇ ଏଥିରେ ବିସ୍ତୃତ ଭାବେ ଆଲୋଚନା କରାଯିବ । ଏହାସହ ଲୋକାପର୍ଣ ଉତ୍ସବ ପାଇଁ କିଭଳି ପ୍ରସ୍ତୁତି ଚାଲିଛି, କେଉଁ ସବୁ କାର୍ଯ୍ୟ ବାକି ରହିଛି ତାହା ଉପରେ ମଧ୍ଯ ଆଲୋଚନା କରାଯିବ । ସେପଟେ ପରିକ୍ରମା ପ୍ରକଳ୍ପ ଉତ୍ସବ ନେଇ ଦେଶ ବିଦେଶରେ ଆମନ୍ତ୍ରିତ ଅତିଥି ମାନଙ୍କୁ କିଭଳି ଚର୍ଚ୍ଚା କରାଯିବ ସେନେଇ ବିଶେଷ ଆଲୋଚନା କରାଯିବ l ଏଥିସହ ଶୁକ୍ରବାରଠାରୁ ଯଜ୍ଞ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ l ୧୫ ତାରିଖରେ ଶ୍ରୀମନ୍ଦିର ଐଶାନ୍ଯ କୋଣରେ ଅଙ୍କୁରାରୋପଣ କରାଯିବା ସହ ଯଜ୍ଞ ଆରମ୍ଭ ହେବ। ୧୭ ତାରିଖରେ ଜଜମାନ ହିସାବରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଯଜ୍ଞର ପୂର୍ଣ୍ଣାହୂତି ଦିଆଯିବ। ଏହାସହ ମୁଖ୍ୟମନ୍ତ୍ରୀ ଓ ମାନ୍ୟଗଣ୍ୟ ଅତିଥିଙ୍କ ସ୍ୱାଗତ ସମ୍ବର୍ଦ୍ଧନା ନେଇ ବୈଠକରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି l

ସେପଟେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ। ପ୍ରକଳ୍ପ ଅନ୍ତର୍ଗତ ନିର୍ମାଣ କାର୍ଯ୍ୟ ଗୁଡ଼ିକ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପରିଚ୍ଛନ୍ନତା କାର୍ଯ୍ୟ ଜାରି ରହିଛି । ଶ୍ରୀସେତୁର ସଫେଇ କାର୍ଯ୍ୟ ସହ ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳର ମଧ୍ୟ ସଫେଇ କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ ବୃହତ୍ ସମଙ୍ଗ ପାର୍କିଂରେ ମଧ୍ୟ ଭକ୍ତମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କୁ ପିଇବା ପାଣି ଠାରୁ ଆରମ୍ଭ କରି ହ୍ୟାଙ୍ଗର, ଖାଇବା ଓ ଶୌଚାଳୟ ସୁବିଧା ଯୋଗାଇ ଦିଆଯିବ । ସେପଟେ ବଡଦାଣ୍ଡର ମୋଡ଼ିଫିକେସନ୍ କାର୍ଯ୍ୟ ମଧ୍ୟ ଆରମ୍ଭ ହେବା ସହ ଉତ୍ତରପାର୍ଶ୍ଵ ମଠ ନିକଟରେ ଏକ ସେଡ୍ ପ୍ରସ୍ତୁତ ହୋଇଥିବା ବେଳେ ଏହି ସେଡ୍ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସେବାୟତ ଓ ନିମନ୍ତ୍ରିତ ଅତିଥି ମାନେ ବସି କାର୍ଯ୍ୟକ୍ରମରେ ଭାଗନେବେ।

ପରିଚାଳନା କମିଟି ବୈଠକ ପରେ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ସୂଚୀ ପ୍ରସ୍ତୁତ କରାଯିବ । ଶୁକ୍ରବାର ଶ୍ରୀ ସେତୁ ତୋରଣର ଲୋକାର୍ପଣ ହେବ । ପରେ ଜାନୁଆରୀ ୧୪ରେ ପ୍ରକଳ୍ପ ପୋଲିସ ପ୍ରଶାସନକୁ ହସ୍ତାନ୍ତର କରାଯିବ । ଏହି ବୈଠକରେ ଶ୍ରୀ ମନ୍ଦିର ମୁଖ୍ୟପ୍ରଶାସକ ରଞ୍ଜନ ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କେ ବିଶାଲ ସିଂ, ଛତିଶା ନିଯୋଗ ମହାନାୟକ ପରିଚାଳନା କମିଟି ସଦସ୍ୟ ଏବଂ ବିଭିନ୍ନ ସେବାୟତ ନିଯୋଗର ସେବାୟତ ପ୍ରତିନିଧିମାନେ ଯୋଗଦେବେ l

ଅନ୍ୟମାନଙ୍କୁ ଜଣାନ୍ତୁ।